ବୈଦେଶିକ ସଚିବ ପଦରୁ ଅବସର ନେଲେ ଏସ ଜୟଶଙ୍କର ! ଆଜି ନୂଆ ସଚିବ ଦାୟିତ୍ୱ ନେବେ ବିଜୟ କେଶବ ଗୋଖଲେ

59

କନକ ବ୍ୟୁରୋ : ବୈଦେଶିକ ସଚିବ ପଦରୁ ଅବସର ନେଇଛନ୍ତି ଏସ ଜୟଶଙ୍କର । ୧୯୭୭ ବ୍ୟାଚର ଏହି ଆଇଏଫଏସ ଅଫିସରଙ୍କୁ ୨୦୧୫ ଜାନୁଆରୀରେ ୨ ବର୍ଷ ପାଇଁ ନିଯୁକ୍ତ କରିଥିଲେ ମୋଦି ସରକାର । ଗତବର୍ଷ ତାଙ୍କ କାର୍ଯ୍ୟକାଳ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ଜୟଶଙ୍କରଙ୍କ ସ୍ଥାନରେ ନୂଆ ବୈଦେଶିକ ସଚିବ ଭାବେ ଆଜି ଦାୟିତ୍ୱ ନେବେ ୧୯୮୧ ବ୍ୟାଚ ଆଇଏଫଏସ ବିଜୟ କେଶବ ଗୋଖଲେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସଂପର୍କିତ କ୍ୟାବିନେଟ କମିଟି ବୈଦେଶିକ ସଚିବ ଭାବେ ତାଙ୍କ ନିଯୁକ୍ତିକୁ ଚୂଡାନ୍ତ କରିଛି ।

ଗୋଖଲେ ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅର୍ଥନୈତିକ ସଂପର୍କ ବିଭାଗରେ ସଚିବ ଭାବେ କାମ କରୁଥିଲେ । ଗତବର୍ଷ ଡୋକଲାମରେ ଚୀନ ଓ ଭାରତୀ ସେନାର ୭୩ ଦିନର ମୁହାଁମୁହିଁ ସ୍ଥିତିକୁ ତାଙ୍କରି ମଧ୍ୟସ୍ଥତାରେ ସମାଧାନ କରାଯାଇଥିଲା । ଚୀନ ବାବଦରେ ତାଙ୍କ ବିଶେଷ ଅଭିଜ୍ଞତା ରହିଛି । କାରଣ ୨୦୧୬ ଜାନୁଆରୀରୁ ୨୦୧୭ ଅକ୍ଟୋବାର ଯାଏଁ ସେ ଚୀନରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଛନ୍ତି । ଭାରତ-ଚୀନ ସଂପର୍କରେ ଆସିଥିବା ତିକ୍ତତା ଭିତରେ ବୈଦେଶିକ ସଚିବ ଭାବେ ଗୋଖଲେଙ୍କ ନିଯୁକ୍ତିକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।