ମୋଦିଙ୍କ ନୂଆ ଟିମରେ ଟୋକ୍ନୋକ୍ରାଟ। ପ୍ରଶାସକରୁ କ୍ୟାବିନେଟ ମନ୍ତ୍ରୀ ହେଲେ ଏସ ଜୟଶଙ୍କର

ଡୋକଲାମ ଉତ୍ତେଜନା କମାଇବାରେ ରହିଥିଲା ପ୍ରମୁଖ ଭୂମିକା

339

କନକ ବ୍ୟୁରୋ: ମୋଦିଙ୍କ ଟିମରେ ଟେକ୍ନୋକ୍ରାଟ୍ । ପ୍ରଶାସକରୁ କ୍ୟାବିନେଟ ମନ୍ତ୍ରୀ ହେଲେ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟରେ ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କୁ ସାମିଲ କରିଛନ୍ତି । ଏବେ ଏସ ଜୟଶଙ୍କରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ବିଭାଗ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରାୟ ୩ ବର୍ଷ ଧରି ବିଦେଶ ବିଭାଗ ଅଧିନରେ ପ୍ରଶାସକ ଦାୟିତ୍ୱ ସୁଚାରୁ ରୁପେ ତୁଳାଇଥିଲେ ଏସ ଜୟଶଙ୍କର । ଏହାଛଡା ଡୋକଲାମ ଉତ୍ତେଜନା ବେଳେ ତାକୁ ପ୍ରଶମିତ କରିବାରେ ଏସ ଜୟଶଙ୍କର ବଡ ଭୂମିକା ତୁଳାଇଥିଲେ । ଏସବୁ ଅଭିଜ୍ଞତା ଥିବା କାରଣରୁ ତାଙ୍କୁ ବୈଦେଶିକ ବିଭାଗ ମିଳିପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ, ବିଜେପିର ପରବର୍ତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି । ମୋଦି ମନ୍ତ୍ରୀମଣ୍ଡଳରେ ଅମିତ ଶାହା ସାମିଲ ହୋଇଥିବାରୁ ସେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତେଣୁ ଏବେ ଦଳର ସଭାପତି କିଏ ହେବ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ଭୂପେନ୍ଦ୍ର ଯାଦବ । ତେବେ ଜେପି ନଡ୍ଡାଙ୍କ ନାଁ ଆଗରେ ଥିବା ଜଣାପଡିଛି । ଭୂପିନ୍ଦର ଯାଦବଙ୍କ ନାମ ମଧ୍ୟରେ ଚର୍ଚ୍ଚାରେ ରହିଛି । କାହାକୁ ଦଳର ସଭାପତି ଦାୟିତ୍ୱ ଦିଆଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଦୁଇ ଦିନ ଧରି ଆଲୋଚନା କରିଥିବା ସୂଚନା ମିଳିଛି ।

 

ଅଭିଜ୍ଞ ରାଜନୀତିଜ୍ଞ ଜେପି ନଡ୍ଡା ୧୯୯୩ ମସିହାରେ ପ୍ରଥମେ ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୮ ଓ ୨୦୦୭ରେ ବିଧାନସଭାକୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଳାଇଥିଲେ । ୨୦୧୪ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ନଡ୍ଡା କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ସୁଚାରୁ ରୁପେ ତୁଳାଇଥିଲେ । ୨୦୧୯ ନିର୍ବାଚନରେ ଜେପି ନଡ୍ଡାଙ୍କୁ ୟୁପି ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ନେତୃତ୍ୱରେ ୟୁପିରେ ବିଜେପି ୮୦ରୁ ୬୧ ଆସନରେ ବିଜେତା ହୋଇଥିଲା ।

ସେହିପରି ରାଜସ୍ଥାନରୁ ଆସିଥିବା ରାଜ୍ୟସଭା ସାଂସଦ ଭୂପିନ୍ଦର ଯାଦବଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଗୁଜରାଟ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇଥିବା ଭୂପିନ୍ଦରଙ୍କ ପାଖରେ ବିହାର ଦାୟିତ୍ୱ ବି ରହିଛି । ୨୦୧୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ପ୍ରମୁଖ ସୂତ୍ରଧର ଥିଲେ ଭୂପିନ୍ଦର ଯାଦବ । ଏହାଛଡା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନିକଟତମ ସହଯୋଗୀ ଭାବେ ଜଣାଶୁଣା ଭୂପିନ୍ଦର ଯାଦବ ।