କୁକର୍ମରେ ବିଫଳ କଣ୍ଡକ୍ଟରର ଜଘନ୍ୟ କାଣ୍ଡ ! ଦ୍ୱିତୀୟ ବର୍ଷ ଛାତ୍ରର ନେଲା ଜୀବନ

38

କନକ ବ୍ୟୁରୋ : ସ୍କୁଲରେ କେତେ ସୁରକ୍ଷିତ ଆପଣଙ୍କ ପିଲା । କେମିତି ଯାଉଛି, କେମିତି ଆସୁଛି । କାହା ସାଙ୍ଗରେ ମିଶୁଛି ଆପଣଙ୍କ ପିଲା । ସ୍କୁଲ ପରିସରରେ ସୁରକ୍ଷା ବ୍ୟବସ୍ଥା ଅଛିତ । ସ୍କୁଲରେ ଆପଣଙ୍କ ପିଲା ନିରାପଦ ତ । ଗୁରୁଗ୍ରାମରେ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ କଣ୍ଡକ୍ଟର ହତ୍ୟା କରିବା ପରେ ଏହି ପ୍ରଶ୍ନ ଏବେ ସବୁ ମହଲରେ ଉଙ୍କି ମାରିଛି ।

ନାମୀ ସ୍କୁଲର ପାଇଖାନାରୁ ମିଳିଲା ଛାତ୍ରଙ୍କ ମୃତଦେହ । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କ ବୟସ ମାତ୍ର ୭ବର୍ଷ । ଅତି ନିର୍ମମ ଭାବେ ଛାତ୍ର ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଅଭିଭାବକମାନେ ଚିନ୍ତାରେ ପଡିଯାଇଛନ୍ତି । ବିଦ୍ୟାଳୟରେ ବି ନିଜ ପିଲା ସୁରକ୍ଷିତ ନୁହଁନ୍ତି ବୋଲି ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଦିଲ୍ଲୀ ନିକଟ ଗୁରୁଗ୍ରାମର ରିୟାନ ଇଣ୍ଟରନାସନାଲ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ଜଣେ ୭ବର୍ଷର ଛାତ୍ରକୁ ଅତି ନିର୍ମମ ଭାବେ ଗଳାକାଟିି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଛାତ୍ରର ପିତାଙ୍କ କହିବା ମୂତାବକ, ଶୁକ୍ରବାର ସକାଳେ ଛାତ୍ର ଜଣକ ସ୍କୁଲ ଯାଇଥିଲେ । କିଛି ସମୟ ପରେ ପିଲାର ଦେହ ଭଲ ନାହିଁ ବୋଲି ଘରକୁ ଫୋନ ଆସିଥିଲା ସ୍କୁଲରୁ । ହେଲେ ସ୍କୁଲରେ ପହଂଚି ପୁଅର ମୃତଦେହ ପାଇଥିଲେ ବାପା । ତେବେ ସ୍କୁଲ ପରିସରରେ ଥିବା ପାଇଖାନାରୁ ଛୁଆଟିର ମୃତଦେହ ମିଳିଥିବା ଓ ଗଳାକାଟିି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତିି ପରିବାର ଲୋକେ ।

ଘଟଣା ଜଣାପଡିବା ପରେ ତୁରନ୍ତ ଘଟଣାସ୍ଥଳରେ ପୁଲିସ ପହଂଚିଥିଲା । ତନତନ କରି ଯାଂଚ କରିଥିଲା ପୁଲିସ । ଛୁଆର ବୟସ ମାତ୍ର ୭ବର୍ଷ ଥିବାରୁ ଏହି ହତ୍ୟାକାଣ୍ଡ ପଛରେ କାରଣକୁ ହଠାତ ଠଉରାଇବା କଷ୍ଟକର ଥିଲା ସମସ୍ତଙ୍କ ପାଇଁ । ପରିବାର ସହ କାହାର ବିବାଦ ଥିଲେ ସ୍କୁଲ ପରିସରରେ କିଭଳି ହତ୍ୟାକାଣ୍ଡ ଘଟିବ ବୋଲି ପୁଲିସ ଅନୁମାନ ଲଗାଇଥିଲା । ପରେ ଗୋଟି ଗୋଟି କରି ସବୁ ସିସିଟିଭି କଭରେଜ ଖୋଜିଥିଲା । ହେଲେ ହତ୍ୟାକାରୀ ପାଖରେ ପହଂଚି ପାରି ନଥିଲା ପୁଲିସ ।

ତେବେ ଏହି ଘଟଣାରେ ଶେଷରେ ପୁଲିସ ସ୍କୁଲର କଣ୍ଡକ୍ଟରକୁ ଗିରଫ କରିଛି । ମୃତକ ଛାତ୍ର ପ୍ରଦ୍ୟୁମ୍ନକୁ ସେ ହତ୍ୟା କରିଥିବା ମାନିଛି । ଆଉ ହତ୍ୟା ପଛର କାରଣ ଜଣାପଡିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଭିଯୁକ୍ତ କଣ୍ଡକ୍ଟର ସେହି ନିଷ୍ପାପ ଶିଶୁ ସହ କୁକର୍ମ କରିବାକୁ ଚାହିଁଥିଲା । ଅନେକ ଚେଷ୍ଟା କରିଥିଲା ଅଭିଯୁକ୍ତ । ହେଲେ ସଫଳ ହେଲାନି । ନିଜର ମନର କାମନା ମେଣ୍ଟାଇବାକୁ ଚେଷ୍ଟା ଚଳାଇଥିବା କଣ୍ଡକ୍ଟରର ପୋଲ ଖୋଲିବାକୁ ଶିଶୁଟି ଜୋରରେ ପାଟି କରିଥିଲା । କାଳେ ଧରା ପଡିଯିବ ବୋଲି ପ୍ରଦ୍ୟୁମ୍ନର ଗଳାକାଟିି ହତ୍ୟା କରିଥିବା ପୁଲିସ ଆଗରେ ମାନିଛି ଅଭିଯୁକ୍ତ ।

ଏହାସହ ସେ କହିଛି, ତା ପାଖରେ ପୂର୍ବରୁ ଛୁରୀ ଥିଲା । ଘଟଣାରୁ ବର୍ତ୍ତିବା ପାଇଁ ହତ୍ୟାକାଣ୍ଡ ପରେ ଟୟଲେଟରେ ଛୁରୀକୁ ଧୋଇଥିଲା ଅଶୋକ । ଏମିତିକି ଛୁରୀଟିକୁ ଫିଙ୍ଗିଦେଇ ପ୍ରଦ୍ୟୁମ୍ନକୁ ଡାକ୍ତରଖାନାକୁ ନେଇଯିବା ପାଇଁ ଗାଡି ପର୍ଯ୍ୟନ୍ତ ଆଣିଥିଲା । ଯାହାଦ୍ୱାରା ତା ଉପରେ ସନ୍ଦେହ ହେବ ନାହିଁ ବୋଲି ଅଶୋକ କହିଛି । ତେବେ ପଚରାଉଚୁରା ବେଳେ କିଛି ସ୍କୁଲ ଛାତ୍ର ପାଇଖାନାକୁ ଅଶୋକ ଯାଇଥିବା ନେଇ ବୟାନ ଦେଇଥିଲେ । ସିସିଟିଭିରେ ମଧ୍ୟ ଏହା କଏଦ ହୋଇଥିଲା । ଯାହା ହତ୍ୟାକାରୀ ପାଖରେ ପହଂଚିବାକୁ ସହଜ କରିଥିଲା ପୁଲିସକୁ । ଏହି ହତ୍ୟାକାଣ୍ଡ ଅଶୋକ ଏକୁଟିଆ କରିଥିବା ପୁଲିସ ପାଖରେ ସେ ମାନିଥିବା ପୁଲିସ କହିଛି ।

ସେପଟେ ପୁଅର ମୃତ୍ୟୁକୁ ନେଇ ଉତ୍ତେଜିତ ହୋଇଥିଲେ ପରିବାର ଲୋକେ । କୋମଳ ପିଲାର ହତ୍ୟାକାରୀକୁ ତୁରନ୍ତ ହେପାଜତ ନେବାକୁ ଦାବୀ କରି କମିଶନର ଅଫିସ ଘେରିଥିଲେ । ଲୋକଙ୍କ ଉତ୍ତେଜନାକୁ ଦେଖି ପ୍ରଥମେ ସ୍କୁଲ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି । କିନ୍ତୁ ଏତିକିରେ ସନ୍ତୁଷ୍ଟ ହୋଇପାରି ନାହାଁନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ । କେବଳ ନିଲମ୍ବନ ଆଉ କଣ୍ଡକ୍ଟରର ଗିରଫ ନୁହେଁ ବରଂ ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ଅଡି ବସିଛନ୍ତି ମୃତକ ଛାତ୍ରର ପରିବାର ଲୋକେ ।

ଘଟଣାରେ ଅନ୍ୟ କେହି ଦୋଷୀ ଥିବା ବେଳେ କଣ୍ଡକ୍ଟରକୁ ମୋହରା କରାଯାଉଛି ବୋଲି ପ୍ରଦ୍ୟୁମ୍ନର ମା କହିଛନ୍ତି । ତେଣୁ ଘଟଣାର ସିବିଆଇ ଯାଂଚ ଦାବୀ କରିଛନ୍ତିି ପରିବାର ଲୋକେ । ପରିବାର ଲୋକେ କହିଛନ୍ତି ପୁଲିସ ଉପରେ ଭରସା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପୁଅ ସ୍କୁଲ ବସରେ ଯା ଆସ କରେ ନାହିଁ, ତେଣୁ କଣ୍ଡକ୍ଟର ତାଙ୍କ ପୁଅକୁ ଜାଣେ ନାହିଁ । ତେବେ ସ୍କୁଲର ଟୟଲେଟରେ ସ୍କୁଲ ସହ ଜଡିତ ଲୋକଙ୍କୁ ଯଦି ତାଙ୍କ ପୁଅ ଖରାପ ଅବସ୍ଥାରେ ଦେଖିଥିବ ସେଥିପାଇଁ, ତାଙ୍କ ପୁଅକୁ ରାସ୍ତାରୁ ହଟାଇ ଦିଆଯାଇଛି ।

ଅନ୍ୟପଟେ ପୁଲିସ କଣ୍ଡକ୍ଟର ଅଶୋକକୁ ମିଛରେ ଫସାଇଛି ବୋଲି ଅଭିଯୋଗ ବି ହୋଇଛି । ଅଶୋକର ପତ୍ନୀ କହିଛନ୍ତି, ସେ ଏମିତି ଚରିତ୍ରର ନୁହଁନ୍ତି । ଏପରିକି ଅଶୋକଙ୍କର ଦୁଇଟି ଛୋଟ ଛୁଆ ବି ରହିଛନ୍ତିି । ପୁଲିସ ମିଛ ମାମଲାରେ ତାଙ୍କୁ ଫସାଇ ଦେବାକୁ ଚେଷ୍ଟା କରୁଥିବା ଅଶୋକର ଗାଁ ଲୋକେ କହିଛନ୍ତି । ତେଣୁ ଘଟଣାର ନିରପେକ୍ଷ ଦାବୀ କରିଛନ୍ତି ଅଶୋକର ପରିବାର ଲୋକେ ।

ଏହି ଘଟଣା ନେଇ ଶିକ୍ଷାମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନିଜେ ଜଣେ ପିତା ହୋଇଥିବା କାରଣରୁ ସେ ବି ଚିନ୍ତିତ ଅଛନ୍ତି । ତେବେ ମାମଲା ଉପରେ ସରକାର ନଜର ରଖିଛନ୍ତି ଓ ଦୋଷୀ ଉପରେ କହା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ଏହି ହତ୍ୟାକାଣ୍ଡର ଚାର୍ଜସିଟ ୭ଦିନ ମଧ୍ୟରେ ଦାଖଲ ହେବ ବୋଲି କହିଛି ପୁଲିସ । ଏହାସହ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର ପାଇଁ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରାଯିବ ବୋଲି ପୁଲିସ କହିଛି । ମୁଖ୍ୟମନ୍ତ୍ରୀ ଖଟ୍ଟର ମଧ୍ୟ ଘଟଣାକୁ ଅତି ଜଘନ୍ୟ କହିବା ସହ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପ୍ରତିଶୃତି ଦେଇଛନ୍ତି । ଏହାସହ ଗୁଡଗାଓଁର ସବୁ ସ୍କୁଲକୁ ପୁଲିସ ଜାରୀ କରିଛି ଆଡଭାଇଜାରୀ । ୧୫ ଦିନ ମଧ୍ୟରେ ପ୍ରତି ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା ରହିଛି ଜଣାଇବା ସହ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବି କୁହାଯାଇଛି ।

ତେବେ ଏଭଳି ଘଟଣା ନୂଆ ନୁହେଁ । ଏମିତି ଅନେକ ଘଟଣା ପୂର୍ବରୁ ରହିଛି ଯାହା ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ବାରମ୍ବାର ପ୍ରଶ୍ନଚିହ୍ନ ଲଗାଇଛି । ଗତବର୍ଷ ମଧ୍ୟ ଏହି ସ୍କୁଲରେ ଜଣେ ୬ବର୍ଷୀୟ ଛାତ୍ରର ମୃତ୍ୟୁ ହୋଇଥିଲା । ପାଣିଟାଙ୍କିରେ ବୁଡି ପିଲାଟିର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଥିଲା । ସେତେବେଳେ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିଲା ।

ଓଡିଶାରେ ମଧ୍ୟ ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି । ତେଣୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସ୍କୁଲରେ ପିଲା ସୁରକ୍ଷିତ ନ ରହିଲେ, କେଉଁଠାରେ ନିରାପଦ ରହିବେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓଡିଶାର ସମସ୍ତ ସ୍କୁଲର ସୁରକ୍ଷା ବ୍ୟବସ୍ଥା ଯାଂଚ କରାଯିବ ବୋଲି କହିଛନ୍ତି ।