ଗୁରୁଗାଓଁ ରିୟାନ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ମୃତ୍ୟୁ ଘଟଣା ! ଦୃଢ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଲେ ଶିକ୍ଷାମନ୍ତ୍ରୀ ରାମ ବିଳାସ ଶର୍ମା

33

କନକ ବ୍ୟୁରୋ: ଗୁରୁଗାଓଁ ରିୟାନ ଇଂଟରନ୍ୟାସନାଲ ସ୍କୁଲର ଛାତ୍ର ମୃତ୍ୟୁ ଘଟଣା ନେଇ ଦୃଢକାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ହରିଆଣା ଶିକ୍ଷାମନ୍ତ୍ରୀ ରାମ ବିଳାସ ଶର୍ମା । ଗୁରୁଗାଓଁ ପୋଲିସ ସ୍କୁଲର ମାଲିକ ଓ ପରିଚାଳନା କମିଟି ବିରୋଧରେ ଜୁଭେନାଇଲ ଆକ୍ଟର ଧାରା ୭୫ ଆଧାରରେ ମାମଲା ରୁଜୁ କରିଛି । ଏହି ଧାରାରେ ପିଲାର ଯତ୍ନ ଓ ସୁରକ୍ଷା ସ୍କୁଲର ଦାୟିତ୍ୱ ବୋଲି ଉଲ୍ଲେଖ ରହିଛି । ରିୟାନ ସ୍କୁଲରେ ଏହାର ଖିଲାପ ହୋଇଛି ଏବଂ ଏହି ଧାରା ଅନୁସାରେ ସେମାନଙ୍କ ବିରୋଧରେ ୫ ବର୍ଷ ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଯାଏଁ ଜରିମାନା ବ୍ୟବସ୍ଥା ରହିଛି ।

ସେପଟେ ଛାତ୍ରହତ୍ୟା ମାମଲାରେ ଅଭିଭାବକମାନଙ୍କ ଆନ୍ଦୋଳନ ଗତକାଲି ହିଂସାତ୍ମକ ରୂପ ନେଇଥିଲା । ଶହ ଶହ ଅଭିଭାବକ ଓ କିଛି ସ୍ଥାନୀୟ ବାସିନ୍ଦା ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ନିକଟରେ ଥିବା ମଦ ଦୋକାନରେ ନିଆଁ ଲଗାଇ ଦେବାସହ ସ୍କୁଲ ଉପରକୁ ମଦ ବୋତଲ ମାଡ଼ କରିଥିଲେ । ଫଳରେ ପୁଲିସ ସେମାନଙ୍କୁ ଲାଠିମାଡ଼ କରିଥିଲା । ଘଟଣାର ଖବର ସଂଗ୍ରହ କରୁଥିବା ଓ ଫଟୋ ଉଠାଉଥିବା ସାମ୍ବାଦିକମାନେ ଏହାର ଶିକାର ହୋଇଥିଲେ। ଏଥିରେ ପ୍ରାୟ ୧୦ ସାମ୍ବାଦିକ ଆହତ ହୋଇଥିବାବେଳେ ସେମାନଙ୍କ କ୍ୟାମେରା ପୁଲିସ ଲାଠିମାଡ଼ରେ ଭାଙ୍ଗିରୁଜି ଯାଇଛି । ଗୁରୁତର ଆହତ ହୋଇଥିବା ୨ଜଣ ସାମ୍ବାଦିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୨୦ ବିକ୍ଷୋଭକାରୀ ଗିରଫ ହୋଇଛନ୍ତି।

ପୁଲିସ ଲାଠିମାଡ଼ ପ୍ରତିବାଦରେ ଅଭିଭାବକମାନେ ଗତକାଲି ଅପରାହ୍ଣ ୪ଟା ବେଳେ ସୋହନ ଛକରୁ ମହମବତୀ ଶୋଭାଯାତ୍ରା ବାହାର କରିବାକୁ ଡାକରା ଦେଇଥିଲେ । ମଦ ଦୋକାନଟି ସରକାରଙ୍କ ନିୟମ ଉଲ୍ଲଙ୍ଘନ କରି ସ୍କୁଲ ପରିସରର ୧୦୦ ମିଟର ମଧ୍ୟରେ ରହିଥିବା ଏବଂ ସ୍କୁଲ ଗାଡ଼ିର ଡ୍ରାଇଭର ଓ କଣ୍ଡକ୍ଟରମାନେ ସେଠାରେ ମଦ ପିଉଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ଏହି ମଦ ଦୋକାନରେ ନିଆଁ ଲଗାଇ ଦେଇଥିବା ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ପୁଲିସ ଲାଠି ଚାଳନା ପାଇଁ ହରିଆଣା ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ଦଳ । ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏଥିପାଇଁ କ୍ଷମା ମାଗିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ୟେଓ୍ଵାଲା ଦାବି କରିଛନ୍ତି ।

ପୁଲିସ ମାତ୍ରାତିରିକ୍ତ ଆଚରଣ ପ୍ରଦର୍ଶନ କରିଛି ବୋଲି ସିପିଆଇ ନେତା ଡି ରାଜା କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ା ଆଜି ମୃତ ଛାତ୍ରର ଘରକୁ ଯାଇ ବାପା ବରୁଣ ଠାକୁରଙ୍କ ସହ ଆଲୋଚନା କରିଥିଲେ । ଗଣମାଧ୍ୟମ ଗଣତନ୍ତ୍ରର ଅନ୍ୟ ଏକ ସ୍ତମ୍ଭ ହୋଇଥିବାବେଳେ ଏହା ଜନସାଧାରଣଙ୍କ ଉଦବେଗକୁ ସାମନାକୁ ଆଣିଥାଏ । ଏହାକୁ ଚାପି ଦେବା ପାଇଁ ପୁଲିସ ଲାଠିମାଡ଼ କରିଥିବା ହୁଡ଼ା କହିଥିଲେ । ରାଜ୍ୟ ସରକାର ନିଜ ବିଫଳତା ଲୁଚାଇବାକୁ ଗଣମାଧ୍ୟମକୁ ଟାର୍ଗେଟ କରିବା ଉଚିତ ନୁହେଁ ବୋଲି ସେ ଦର୍ଶାଇଥିଲେ । ରିୟାନ ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆଜି ତଥା ସୋମବାର ଦିନ ସେମାନଙ୍କ ପିଲାମାନଙ୍କୁ ସ୍କୁଲକୁ ନପଠାଇବାକୁ ନିଷ୍ପତ୍ତି ନେଇଥିବା ସହିତ ସ୍କୁଲ ଆଗରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନପାଇଁ ଡାକରା ଦେଇଛନ୍ତି ।