ନିର୍ବାଚନରେ ଭ୍ଲାଦିମିର ପୁଟିନଙ୍କ ବିପୁଳ ବିଜୟ : ଚତୁର୍ଥ ଥର ପାଇଁ ହେବେ ରୁଷ ରାଷ୍ଟ୍ରପତି

47

କନକ ବ୍ୟୁରୋ : ଚତୁର୍ଥଥର ପାଇଁ ଭ୍ଲାଦିମିର ପୁଟିନ୍ ରୁଷର ରାଷ୍ଟ୍ରପତି ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ରବିବାବ ମତଦାନ ଶେଷ ହେବା ପରେ ପୁଟିନଙ୍କ ସପକ୍ଷରେ ୭୫ ପ୍ରତିଶତ ଭୋଟ୍ ପଡିଥିବା ଆକଳନ କରିଛନ୍ତି ଏକଜିଟ ପୋଲ ସର୍ଭେ ସଂସ୍ଥାଗୁଡିକ । ତେବେ ପ୍ରଥମରୁ ହି ପୁତିନଙ୍କ ବିଜୟ ନିଶ୍ଚିତ ଥିଲା । ଭାରି ମତ ସହ ବିଜୟ ସୁନିଶ୍ଚିତ ହେବା ପରେ ପୁତିନ ମାସ୍କୋରେ ନିଜର ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି । ସେ ଭୋଟରଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଲୋକେ ତାଙ୍କୁ ଭୋଟ ଦେଇ ତାଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି । ପୁଟିନଙ୍କ ବିରୋଧରେ ଅନ୍ୟ ୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ମାତ୍ର ୧୧ ଦଶମିକ ୨ ପ୍ରତିଶତ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କମ୍ୟୁନିଷ୍ଟ ପ୍ରାର୍ଥୀ । ତେବେ ପୁଟିନଙ୍କ ପ୍ରବଳ ସମାଲୋଚକ କୁହାଯାଉଥିବା ଆବେକ୍ସି ନାଭାଲନି ଆଇନଗତ ବିବାଦରୁ ନିର୍ବାଚନ ଲଢିପାରି ନାହାନ୍ତି । ବ୍ରିଟେନ ଓ ଆମେରିକା ସହ କୁଟନୈତିକ ତିକ୍ତତା ଭିତରେ ଏକ ବଡ ଭୋଟ ବ୍ୟବଧାନରେ ପୁଟିନ୍ ପୁଣି ବିଜୟୀ ହେବା ଜରୁରୀ ଥିଲା । ତେଣୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ରୁଷର କେନ୍ଦ୍ରୀୟ ନିର୍ବାଚନ କମିଶନ୍ ।

ତେବେ ପୋଲିଂ ବୁଥଗୁଡିକରେ ସେଲଫି ପ୍ରତିଯୋଗୀତା, ଖାଦ୍ୟ ମେଳା ସହ ଛୋଟପିଲାଙ୍କ ଆମୋଦ ପ୍ରମୋଦ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ଯେଉଁଥିପାଇଁ ୨୦୧୨ ଅପେକ୍ଷା ଚଳିତବର୍ଷ ୬୦ ପ୍ରତିଶତ ଅଧିକ ମତଦାନ ହୋଇଛି । ରୁଷର ପ୍ରାୟ ୧୦୭ ମିଲିଅନ ଭୋଟର ଆଗାମୀ ୬ବର୍ଷ ପାଇଁ ପୁଣିଥରେ ଭ୍ଲାଦିମିର ପୁଟିନଙ୍କୁ ଦେଶର ରାଷ୍ଟ୍ରପତି ବାଛିଥିବା କୁହାଯାଉଛି । ହେଲେ ଜାଲିଆତି ଓ ବୁଥ ରିଗିଂ କରି ପୁଟିନ କ୍ଷମତା ବଜାୟ ରଖିବାକୁ ଚାହୁଁଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଉଭୟ ସରକାରୀ ଓ ଘରୋଇ କର୍ମଚାରୀଙ୍କ ଉପରେ ମତଦାନ ଲାଗି ବିଭିନ୍ନ ପ୍ରକାର ଚାପ ପକାଯାଇଥିଲା । ଭୋଟ ନଦେଲେ ଚାକିରିରେ ହଇରାଣ କରିବା ଭଳି ଧମକ ମିଳିଥିଲା । ସେହିପରି ଛାତ୍ରଛାତ୍ରୀମାନେ ମତଦାନ ନକଲେ ପରୀକ୍ଷାରେ ଫେଲ କରିବା ସହ କଲେଜରୁ ବହିଷ୍କାର ପାଇଁ ମଧ୍ୟ ଧମକ ମିଳିଥିଲା ।

୨୦୦୦ରେ ପ୍ରଥମଥର ଲାଗି ରାଷ୍ଟ୍ରପତି ହେବା ପରଠାରୁ ସମଗ୍ର ବିଶ୍ୱରେ ରୁଷକୁ କୁଟନୈତିକ ସ୍ତରରେ ପ୍ରଭାବି କରିବା ପଛରେ ପୁଟିନଙ୍କ ହାତ ରହିଛି । ହେଲେ ତାଙ୍କ ସୁନାମ ଯେତିକି ଦୁର୍ନାମ ମଧ୍ୟ ସେତିକି ରହିଛି । ପଡୋଷୀ ଚୀନର ଜିନପିଙ୍ଗ ଶାସନ ପରି ପୁଟିନ ମଧ୍ୟ ଏକଛତ୍ରବାଦୀ ଶାସନ ଚଳାଇଥିବା ଅଭିଯୋଗ ହୋଇଆସୁଛି । ବ୍ରିଟେନର ଗୁଇନ୍ଦା ଅଧିକାରୀ ସର୍ଗେଇ ସ୍କ୍ରିପାଲ ଓ ତାଙ୍କ ଝିଅ ୟୁଲିଆଙ୍କୁ ରାସାୟନିକ ଆକ୍ରମଣ ଦ୍ୱାରା ହତ୍ୟା ଉଦ୍ୟମ ପଛରେ ରୁଷର ହାତଥିବା ଅଭିଯୋଗ କରି ୨୩ଜଣ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ ।

ସେପଟେ ଆମେରିକା ମଧ୍ୟ ରୁଷ ରାସାୟନିକ ଅସ୍ତ୍ର ବ୍ୟବହାର କରୁଥିବା ଅଭିଯୋଗ ଆଣି କୁଟନୈତିକ ଆକ୍ରମଣ ଜାରି ରଖିଛି । ଏହାବାଦ ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ରୁଷ ଟଙ୍କା ଯୋଗାଇଥିବା ଅଭିଯୋଗ ରହିଛି । ଏହାରି ଭିତରେ ପୁଣି ଏକ ବିପୁଳ ବ୍ୟବଧାନରେ ଜିତି ରୁଷବାସୀଙ୍କର ତାଙ୍କ ଉପରେ ଆସ୍ଥା ରହିଥିବା ବିଶ୍ୱ ସମୁଦାୟକୁ ବାର୍ତା ଦେବାକୁ ଚାହିଁଛନ୍ତି ଭ୍ଲାଦିମିର ପୁଟିନ୍ । ଏହା ବ୍ରିଟେନ ଓ ଆମେରିକା ଉପରେ ଚାପ ପକାଇବା ପାଇଁ ପ୍ରମୁଖ ଅସ୍ତ୍ର ହେବ ।