ବିମାନ ଦୁର୍ଘଟଣାରେ ୭୧ ମୃତ

27

କନକ ବ୍ୟୁରୋ: ରୁଷିଆ ରାଜଧାନୀ ମସ୍କୋ ନିକଟରେ ଗତକାଲି ଏକ ଘରୋଇ ଯାତ୍ରୀବାହୀ ବିମାନ ଆଣ୍ଟୋନୋଭ ଏଏନ୍-୧୪୮ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବିମାନର ସମସ୍ତ ୬୫ ଯାତ୍ରୀ ଏବଂ ୬ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ରୁଷିଆର ସାରାତୋଭ୍ ଏୟାରଲାଇନ୍ସର ଏହି ବିମାନଟି ଉରାଲ ପ୍ରଦେଶର ଏଓରାକ୍ସ ଅଭିମୁଖେ ଯାଉଥିଲା । ତେବେ ମସ୍କୋର ଡୋମୋଡେଡୋଭୋ ବିମାନ ବନ୍ଦର ଛାଡ଼ିବାର ମାତ୍ର ୧୦ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ହଠାତ୍ ୬ହଜାର ୨ଶହ ଫୁଟ ଉଚ୍ଚତାରୁ ୩ହଜାର ୨ଶହ ଫୁଟ ଉଚ୍ଚତାକୁ ଖସି ଆସିବା ସହ ମସ୍କୋ ନିକଟ ରାମେନସ୍କି ଜିଲ୍ଲାର ଆଗ୍ରୁନୋଭୋ ଗ୍ରାମ ଆକାଶରେ ସମ୍ପୂର୍ଣ୍ଣ ଜଳିଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଏହାର ଭଗ୍ନ ଅଂଶ ସବୁ ବିକ୍ଷିପ୍ତ ଭାବେ ଛିଟିକି ପଡ଼ିଥିଲା । ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହା ପାଇଲଟଙ୍କ ତ୍ରୁଟି ଅବା ଖରାପ ପାଗ ପାଇଁ ହୋଇଥିବା ଆଶଙ୍କା କରାଯାଉଛି । ଏକ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବିମାନର ଭଗ୍ନାଂଶଗୁଡ଼ିକ ଏକ ବରଫାବୃତ ଅଞ୍ଚଳରେ ବିକ୍ଷିପ୍ତ ହୋଇ ପଡ଼ିଛି ।