ଆମେରିକା ସଂସଦ ଉପରେ ଉଡିଲା ରୁଷୀୟ ବିମାନ, ସଂସଦରେ ହୋହଲ୍ଲା

47

କନକ ବ୍ୟୁରୋ: ଗୁରୁବାର ସକାଳେ ଆମେରିକା ସଂସଦ, ପେଣ୍ଟାଗନ୍ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଉପରେ ଏକ ରୁଷୀୟ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପ୍ରଘଟ ହେବା ପରେ ଏହା ଏକ ସୁରକ୍ଷା ବିଚ୍ୟୁତି ବୋଲି କୁହାଯାଇ ସଂସଦରେ ହଙ୍ଗାମା ହୋଇଥିଲା । ରୁଷର ଏଭଳି ଅଚରଣ ଯୋଗୁ ଅନେକ ନିନ୍ଦା ମଧ୍ୟ କରିଥିଲେ ।

ହେଲେ ଏଭଳି ତର୍କ ବିତର୍କ ଅଳ୍ପ କିଛି ସମୟ ପରେ ସମାଧାନ ହୋଇଯାଇଥିଲା । ବାସ୍ତବରେ ଏହି ବିମାନ ଉଡାଣ ପାଇଁ ଆମେକରିକାଠାରୁ ଅନୁମତି ପାଇଥିବା ଜଣାପଡ଼ିଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଯୋଗୁ ରୁଷ ବିମାନ ଉଡାଣ କରିଥିବା ବୋଲି ଜଣାପଡ଼ିଛି ।

ଦୁଇ ଦେଶର ସାମରିକ ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ଅସ୍ତ୍ର ବିହୀନ ତଦାରଖ ବ୍ୟବସ୍ଥା ଲାଗି ଏକ ସନ୍ଧି ସ୍ୱାକ୍ଷରିତ ହୋଇଛି । ୨୦୦୨ରୁ ଏହି ସନ୍ଧି କାର୍ଯ୍ୟକାରୀ ହେଉଛି । ଏହି ପରିପ୍ରେକ୍ଷୀରେ ରୁଷ୍ ବିମାନ ଏଭଳି ଉଡାଣ ଭରିଥିଲା ବୋଲି ପେଣ୍ଟାଗନର ପ୍ରବକ୍ତା ଡେନ୍ ଗ୍ରେଫନି ସୂଚନା ଦେଇଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ବିମାନର ଉଡାଣ କରିବା ସମ୍ପର୍କରେ ସେ କୌଣସି ମତାମତ ଦେଇ ନାହାନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ସ୍ଥାନୀୟ ପୋଲିସ ଏକ ନିର୍ଦ୍ଦେଶନାମା ଜାରି କରିଥିଲା । କମ୍ ଉଚ୍ଚତାରେ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ କୌଣସି ବିମାନ ର୍ପୂବାହ୍ନ ୧୧ଟାରୁ ଦିନ ୩ଟା (ସ୍ଥାନୀୟ ସମୟ) ମଧ୍ୟରେ ଉଡାଣ ଭରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଥିଲା ।