“ଏମିତି ଏ ବଡଦାଣ୍ଡେ ହାତପାତି ରହିଥିବି” ! ଋଷିଆ ଯିବାକୁ ମନ ବଳୁନାହିଁ , ପୁରୀ ଫେରିଲେ ପରଦେଶୀ ଭିକାରୀ

120

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ବିଦେଶୀ ଭିକାରୀ । ଦିଲ୍ଲୀରୁ ଫେରିଆସି ପୁଣିଥରେ ପୁରୀରେ ଡେରା ପକାଇଛନ୍ତି ଆନ୍ଦ୍ରେ ଗ୍ଲାଗୋଲେଓ । ଦିଲ୍ଲୀରୁ ଫେରିବା ପରେ ସିଂହଦ୍ୱାର ସମ୍ମୁଖରେ ପୁଣିଥରେ ଭିକ୍ଷାବୃତ୍ତି ଆରମ୍ଭ କରିଛନ୍ତି ଆନ୍ଦ୍ରେ । ଏକ ଫ୍ଲେକ୍ସ ପକାଇ ସିଂହଦ୍ୱାରରେ ଅନ୍ୟ ଭିକାରୀଙ୍କ ଗହଣରେ ବସିବା ସହ ଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ପୁଣିଥରେ ଭିକ ମାଗିବା ଆରମ୍ଭ କରିଛନ୍ତି ରଷୀୟ ଯୁବକ ଆନ୍ଦ୍ରେ ।

ପୂର୍ବରୁ ଗତ ଡିସେମ୍ବର ୧୦ ତାରିଖରେ ଏହି ରଷୀୟ ନାଗରିକ ଆନ୍ଦ୍ରେ ସିଂହଦ୍ୱାର ସମ୍ମୁଖରେ ଭିକ ମାଗୁଥିବା ଦେଖାଯାଇଥିଲା । ନିଜକୁ ଶିବଭକ୍ତ ବୋଲି ଦର୍ଶାଇବା ସହ ଲୋକଙ୍କୁ ପଇସା ମାଗୁଥିବା ଦେଖାଯାଇଥିଲା । ସେତେବେଳେ ଏଭଳି ଦୃଶ୍ୟ ଦେଖି ତାଙ୍କୁ ଜଣେ ପଚାରିଥିଲେ, “ଆପଣ କାହିଁକି ଭିକ ମାଗୁଛନ୍ତି?” ଏ ପ୍ରଶ୍ନରେ ସେ ଯେଉଁ ଉତ୍ତର ଦେଇଥିଲେ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ । ମୁଁ ଭାରତକୁ ଭଲ ପାଏ ସେଥିପାଇଁ ଏଠାକୁ ଆସିଛି । ସେ ରାଧେ ଗୋବିନ୍ଦ ଓ ଋଷିଆରୁ ଆସିଥିବା କହିଛନ୍ତି । ତା ସହ ସେ ଭିକ ମାଗୁନଥିବା ସ୍ପଷ୍ଟ ଭାବରେ କହିଛନ୍ତି । ପ୍ରତିଦିନ ଚଳିବା ପାଇଁ ମୋର ଟଙ୍କା ଦରକାର । ମୁଁ ଭଜନ ଗାଉଛି ଓ ଲୋକମାନେ ମତେ ଟଙ୍କା ଦେଉଛନ୍ତି । ଏବଂ ବାକ୍ସକୁ ଦେଖାଇ ଏହା ତାଙ୍କ ଦାନ ବାକ୍ସ ବୋଲି କହିଥିଲେ । ମୋର କୌଣସି ଅସୁବିଧା ହେଉନାହିଁ । ମୁଁ ରେଲୱେ ଷ୍ଟେସନ ନିକଟରେ ରହୁଛି ଓ ରାତିରେ ସେଠାରେ ଶୋଇପଡୁଥିବା ଅତି ଆନନ୍ଦର ସହ କହିଥିଲେ ।

ତେବେ ଏହାପରେ ତାଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ସେ ଭାରତୀୟ ଶରଣାର୍ଥୀ ଭାବେ ରହିବା ପାଇଁ ଆବେଦନ କରିଥିଲେ । ଏପରିକି ଏହା ଭିତରେ ତାଙ୍କର ଭିସା ଜାନୁଆରୀ ୮ ତାରିଖରେ ଶେଷ ହେଉଥିଲା । ତେଣୁ ଏହା ପୁର୍ବରୁ ଜାନୁଆରୀ ୪ ତାରିଖରେ ଦିଲ୍ଲୀସ୍ଥିତି ରଷୀୟ ଦୂତବାସକୁ ପଠାଯାଇଥିଲା । କିନ୍ତୁ ଦିଲ୍ଲୀରେ କିଛି ଦିନ ରହିବା ପରେ ପୁଣିଥରେ ପୁରୀ ଫେରିବା ସହ ଭିକ୍ଷାବୃତ୍ତି ଆରମ୍ଭ କରିଛନ୍ତି ଆନ୍ଦ୍ରେ । ଏପରିକି ଶରଣାର୍ଥୀ ଭାବେ ରହିବା ପାଇଁ ହେବାକୁ ଥିବା ଶୁଣାଣିରେ ଭାଗ ନ ନେଇ ପୁରୀ ଫେରି ଆସିଛନ୍ତି ସେ । ଏଣୁ ଆନ୍ଦ୍ରେ ଏବେ ଶରଣାର୍ଥୀ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଏବେ ସେ ବେଆଇନ ଭାବେ ପୁରୀରେ ରହୁଛନ୍ତି ।

ଆନ୍ଦ୍ରେ ଦିନ ୧୧ଟା ପର୍ଯ୍ୟନ୍ତ ଭିକ୍ଷାବୃତ୍ତି କରିବା ପରେ ମେଡିକାଲ ଆହାର କେନ୍ଦ୍ରରୁ ୫ଟଙ୍କାରେ ଖାଦ୍ୟ ଖାଇ ଏକ ବସ୍ତିକୁ ଚାଲି ଯାଉଛନ୍ତି । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ପୁଣି ଅପରାହ୍ନରେ ଆସି ଭିକ୍ଷା ମାଗୁଛନ୍ତି । ରାତିରେ ଯାଇ ପୌରସଂସ୍ଥାର ରାତ୍ରିକାଳୀନ ଆଶ୍ରୟ ଶିବିରରେ ଶୋଉଛନ୍ତି । ଏହା ଏବେ ଆନ୍ଦ୍ରେଙ୍କ ଦୈନନ୍ଦିନ ରୁଟିନ୍ । ତେବେ ଭିସା ଅବଧି ସରି ଯାଇଥିବାରୁ ବେଆଇନ ଭାବେ ରହିଲେ ଫାଇନ ଦେବାକୁ ହୋଇଥାଏ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।