ଯୁଦ୍ଧ ପାଇଁ ଋଷିଆର ପ୍ରସ୍ତୁତି! ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନାଗରିକଙ୍କୁ ସର୍ତକ କଲା ଋଷ ଗଣମାଧ୍ୟମ

66

କନକ ବ୍ୟୁରୋ : ସିରିଆକୁ ନେଇ ବଢ଼ୁଛି ସଙ୍କଟ । ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଋଷ । ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରଙ୍କ ଆକ୍ରମଣ ପରେ ଏବେ ଋଷ୍ ଯୁଦ୍ଧ ପାଇଁ ଆରମ୍ଭ କରି ଦେଇଛି ପ୍ରସ୍ତୁତି । ଋଷ ଗଣମାଧ୍ୟମ ନାଗରିକଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛି । ଆମେରିକାର ଆକ୍ରମଣ ଋଷର ପ୍ରଭାବ ଓ ପତିଆରାକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ହୋଇଥିବାରୁ ଋଷ ଯେକୋ÷ଣସି ସମୟରେ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିପାରେ ।

ଯୁଦ୍ଧ ସ୍ଥିତିରେ ଲୋକେ କେଉଁଠି ରହିବେ , କେଉଁ ସାମଗ୍ରୀ ରଖିବେ, ବିକିରଣରୁ କିଭଳି ରକ୍ଷା ପାଇବେ ସେଥିପାଇଁ ତୁହାକୁ ତୁହା ପ୍ରଚାର କରାଯାଉଛି । ଋଷ ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଟିଭି ଚ୍ୟାନେଲଗୁଡିକ ଲଗାତାର ଲୋକଙ୍କୁ ଯୁଦ୍ଧ ସ୍ଥିିତିରେ ସୁରକ୍ଷା ପଦକ୍ଷେପ ନେଇ ଅବଗତ କରୁଛନ୍ତି । ବୋମାରୁ ବର୍ତିବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳରେ ଶରଣ ନେବା ସହ ବିକିରଣରୁ ଶରୀରକୁ ରକ୍ଷା କରିବା ପାଇଁ ଆୟୋଡିନ୍ ପ୍ୟାକ୍ କରିବାକୁ କୁହାଯାଇଛି । ଋଷିଆର ୨୪ଘଂଟିଆ ଚ୍ୟାନେଲ୍ ଏନେଇ ଅହରହ ପ୍ରଚାର କରୁଛି ।

ଏବେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ୟ୍ୟାୟ ଶୀତଳ ଯୁଦ୍ଧ ଯେ କୌଣସି ମୁହୂର୍ତ୍ତରେ ପ୍ରକୃତ ଯୁଦ୍ଧର ରୂପ ନେବାକୁ ଯାଉଛି ବୋଲି ରୁଷର ଯୁଦ୍ଧନୀତି ବିଶେଷଜ୍ଞମାନେ କହିଛନ୍ତି। ଆମେରିକା ସିରିୟାରେ ଆରମ୍ଭ କରିଥିବା କ୍ଷେପଣାସ୍ତ୍ର ଯୁଦ୍ଧ ଥମିବ ନାହିଁ ଏବଂ ରୁଷ୍ ଏହାର ମୁକାବିଲା ପାଇଁ ଓହ୍ଲାଇଲେ ସମଗ୍ର ବିଶ୍ୱ ଯୁଦ୍ଧର ବଳୟ ଭିତରକୁ ଆସିଯିବ ବୋଲି କୁହାଯାଇଛି। ଯୁଦ୍ଧ ସ୍ଥିତିରେ ବୋମା ନିରୋଧକ ଆଶ୍ରୟସ୍ଥଳରେ ପର୍ୟ୍ୟାପ୍ତ ଖାଦ୍ୟଦ୍ରବ୍ୟ ସହ ରହିବା ଏବଂ ଜୀବନ ରକ୍ଷାକାରୀ ଆବଶ୍ୟକ ଔଷଧପତ୍ର ମହଜୁଦ ରଖିବାକୁ ଗଣମାଧ୍ୟମରେ ପ୍ରଚାର ଚାଲିଛି। ନାଗରିକଙ୍କୁ ଅନ୍ୟ ଶତ୍ରୁ ରାଷ୍ଟ୍ର ତୁଳନାରେ ସର୍ବାଧିକ ସତର୍କ ରଖିବା ଏହି ପ୍ରଚାରର ଉଦ୍ଦେଶ୍ୟ ବୋଲି କୁହାଯାଇଛି। ପରମାଣୁ ଆକ୍ରମଣ ପରିପ୍ରେକ୍ଷୀରେ ଯେଉଁ ସବୁ ସତର୍କତା ପଦକ୍ଷେପ ଗ୍ରହଣ କରିବା ଜରୁରୀ ସେ ଦିଗରେ ନାଗରିକଙ୍କୁ ସୂଚନା ଦିଆଯାଉଛି। ସିରିୟାରେ ରୁଷ୍ ସୈନ୍ୟଙ୍କ ପ୍ରବଳ ଉପସ୍ଥିତି ସତ୍ତ୍ୱେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଙ୍କ ଧ୍ୱଂସଲୀଳା ରୁଷ୍ ପାଇଁ ଘୋର ଅପମାନର କାରଣ ହୋଇଛି। ଏହାର ଜବାବ ଦେବାକୁ ରୁଷ୍ ପ୍ରସ୍ତୁତି ଚଳାଇଛି ଏବଂ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଦେଶବାସୀଙ୍କୁ ପ୍ରସ୍ତୁତ ରହିବାକୁ ହେବ ବୋଲି କୁହାଯାଇଛି।

ପୁଣି ଆକ୍ରମଣ ଧମକ
ଓ୍ଵାସିଂଟନ : ଆମେରିକା ଓ ତା’ର ମିତ୍ରରାଷ୍ଟ୍ର ବ୍ରିଟେନ୍ ଓ ଫ୍ରାନସ ସିରିୟାରେ ବଡ଼ ଧରଣର କ୍ଷେପଣାସ୍ତ୍ର ଓ ବିମାନ ଆକ୍ରମଣ କରିବାର ଦିନକ ପରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ପୁଣି ସିରିୟାକୁ ଚେତାବନୀ ଦେଇଛନ୍ତି। ଜାତିସଂଘରେ ଆମେରିକାର ପ୍ରତିନିଧି ନିକି ହ୍ୟାଲି ଟ୍ରମ୍ପଙ୍କ ବାର୍ତ୍ତା ପାଠକରି କହିଛନ୍ତି ସିରିୟା ଯଦି ପୁଣି ରାସାୟନିକ ଅସ୍ତ୍ର ବ୍ୟବହାର କରିବ ତା’ହେଲେ ଆମେରିକା ଏହାର ଜବାବରେ ପୁଣି ଭୟାନକ ଆକ୍ରମଣ କରିବ। ଅଧିକ ଆକ୍ରମଣ ପାଇଁ ଆମେରିକାର କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ତୟାର ରହିଛି ବୋଲି ଟ୍ରମ୍ପ୍ କହିଛନ୍ତି। ନିରାପତ୍ତା ପରିଷଦରେ ଆମେରିକାର ଏଭଳି ଧମକକୁ ରୁଷ୍ ଗମ୍ଭୀରତାର ସହ ନେଇଛି ଏବଂ ଆଗକୁ ଏହି ମାମଲା ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି । ପଶ୍ଚିମ ରାଷ୍ଟ୍ରଗୁଡ଼ିକ ସିରିୟା ଆକ୍ରମଣକୁ ଏକସ୍ୱରରେ ସମର୍ଥନ କରିଥିବାରୁ ଟ୍ରମ୍ପ୍ ଏଥିରେ ଉତ୍ସାହିତ ହୋଇ ଅଧିକ ଆକ୍ରମଣ ନିମନ୍ତେ ଧମକ ଦେଇଥିବା କୁହାଯାଉଛି। ତେବେ ସିରିୟା କିମ୍ବା ରୁଷ୍ ସେନା ବିରୋଧରେ ସିଧାସଳଖ ଆକ୍ରମଣ ପାଇଁ କୌଣସି ପଶ୍ଚିମ ରାଷ୍ଟ୍ର କହିନାହାନ୍ତି।