ଭାରତର ସର୍ଜିକାଲ ଆଟାକକୁ ରୁଷିଆର ଖୋଲାଖୋଲି ସମର୍ଥନ : ଆତଙ୍କବାଦ ବିରୋଧରେ ଲଢେଇପାଇଁ ଆହ୍ୱାନ

50

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକକୁ ଖୋଲାଖୋଲି ସମର୍ଥନ ଜଣାଇଛି ରୁଷିଆ । ଫଳରେ କୁଟନୈତିକ ଲଢେଇରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ପିଓକେରେ ସର୍ଜିକାଲ ଆଟାକକୁ ସମର୍ଥନ କରିବା ସହ ରୁଷିଆ କହିଛି ନିଜର ସୁରକ୍ଷା କରିବା ପ୍ରତ୍ୟେକ ଦେଶର ମୌଳିକ ଅଧିକାର । ତେଣୁ ଭାରତର ପଦକ୍ଷେପ ଯଥାର୍ଥ । ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ପ୍ରଥମେ ରୁଷିଆ ଭାରତକୁ ଏପରି ଖୋଲାଖୋଲି ସମର୍ଥନ ଜଣାଇଛି ।

ସେହିପରି ଉରି ସେନା ମୁଖ୍ୟାଳୟକୁ ଆକ୍ରମଣ କରିଥିବା ଆତଙ୍କବାଦୀ ପାକିସ୍ତାନରୁ ଆସିଥିବା ନେଇ ଭାରତର ଦାବିକୁ ମଧ୍ୟ ସମର୍ଥନ ଜଣାଇଛି ରୁଷିଆ । ସମଗ୍ର ବିଶ୍ୱ ଆତଙ୍କବାଦ ବିରୋଧରେ ଲଢେଇ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ରୁଷିଆ ରାଷ୍ଟ୍ରଦୂତ । ସେପଟେ ପାକିସ୍ତାନ ସହ ମିଳିତ ସମରାଭ୍ୟାସ ନେଇ ଭାରତ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ରୁଷିଆ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଏମ୍ କଦକିନ୍।