ବଢିବ ଭାରତୀୟ ବାୟୁସେନାର ବଳ : ଋଷିଆରୁ ଆସିବ କ୍ଷେପଣାସ୍ତ୍ର ବିଧ୍ୱଂସୀ ‘ଏସ୍-୪୦୦ ଟ୍ରିମ୍ଫ’

33

କନକ ବ୍ୟୁରୋ : ବଢିବ ବାୟୁସେନାର ବଳ । ଆକାଶ ସୁରକ୍ଷାରେ ଚୀନ ସହ ସମକକ୍ଷ ହେବ ଭାରତୀୟ ବାୟୁ ସେନା । ଋଷିଆରୁ ଭାରତ କିଣିବ କ୍ଷେପଣାସ୍ତ୍ର ବିଧ୍ୱଂସୀ ‘ଏସ୍-୪୦୦ ଟ୍ରିମ୍ଫ’ ।  ୩୯ ହଜାର କୋଟି ଟଙ୍କାର ଚୁକ୍ତି ପାଇଁ ଉଭୟ ଭାରତ ଓ ଋଷିଆ ସହମତି ପ୍ରକାଶ କରିଛନ୍ତି ।

ଆଗାମୀ ବ୍ରିକ୍ସ ସମ୍ମିଳନୀ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଏନେଇ ଚୁକ୍ତି ହୋଇପାରେ । ପୁଟିନ ଗୋଆରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ୩୯ହଜାର କୋଟି ଟଙ୍କା ମୂଲ୍ୟର ଏହି ଚୁକ୍ତିକୁ ଚୂଡାନ୍ତ କରିବା ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି । ଏସ୍-୪୦୦ ଭାରତର ଆକାଶ ସୁରକ୍ଷାରେ ସାମିଲ ହେଲେ ସୁରକ୍ଷା ଦୃଷ୍ଟିରୁ ଭାରତର ସ୍ଥିତି ଚୀନ ସହ ସମକକ୍ଷ ହେବ ।

ଏସ୍-୪୦୦ ଟ୍ରିମ୍ଫ ଏକାଥରେ ୩୬ଟି ଟାର୍ଗେଟ ଧ୍ୱଂସ କରିବା କ୍ଷମତା ରଖଛି । ଏହା ୩ଶହ କିଲୋମିଟର ଭିତରେ ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ସମର୍ଥ୍ୟ ବହନ କରୁଛି । କଥା କଥାରେ ଭାରତକୁ କ୍ଷେପଣାସ୍ତ୍ର ମାଡ ଓ ଅଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଧମକ ଦେଉଥିବା ପାକିସ୍ତାନକୁ ଏହା ଦ୍ୱାରା ଭାରତୀୟ ବାୟସେନା କଡା ଜବାବ ଦେଇ ପାରିବ ବୋଲି କୁହାଯାଉଛି । ପୁଟିନଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ବିଶେଷ କରି ବାଣିଜ୍ୟ ଏବଂ ଆର୍ଥିକ କାରବାର ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।