ପାକକୁ ମାତ୍ ଦେବାକୁ ପୁଟିନଙ୍କ ହାତ ଧରିଲେ ମୋଦି : ଋଷ ସହ ଭାରତର ସବୁଠାରୁ ବଡ ପ୍ରତିରକ୍ଷା ଡିଲ୍

55

କନକ ବ୍ୟୁରୋ : ରାଫାଲ ଚୁକ୍ତି ପରେ ଆକାଶ ସୁରକ୍ଷା ପାଇଁ ଭାରତର ସବୁଠାରୁ ବଡ ପ୍ରତିରକ୍ଷା ଚୁକ୍ତି । ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଗୋଆରେ ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କଲେ ପ୍ରଧାନମନ୍ତ୍ରୀ । ଭ୍ଲାଦିମିର ପୁଟିନଙ୍କ ସହ ୩୯ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି ମୋଦି । ଏହି ଚୁକ୍ତି ବଳରେ ଭାରତକୁ ଲମ୍ବା ରେଞ୍ଜର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ଟ୍ରାଇଅମ୍ଫ ଯୋଗାଇ ଦେବ ଋଷିଆ । ଶତ୍ରୁପକ୍ଷର ମିଶାଇଲ, ଏୟାରକ୍ରାଫ୍ଟ ଓ ଫାଇଟର ଜେଟକୁ ଧ୍ୱଂଶ କରିପାରିବ ଏହି ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ।

ଏସ୍-୪୦୦ ଟ୍ରାଇଅମ୍ଫ ଏୟାର ଡିଫେନ୍ସ ସିଷ୍ଟମ
୪୦୦ କିଲୋମିଟର ରେଞ୍ଜରେ ଶତ୍ରୁ ରାଷ୍ଟ୍ରର ଯେକୌଣସି ଏୟାରକ୍ରାଫ୍ଟକୁ ଲକ୍ଷ୍ୟଭେଦ କରିପାରିବ ଏସ୍-୪୦୦ ଟ୍ରାଇଅମ୍ଫ । ବି-୨ ବାମ୍ବର ଓ ଏଫ-୨୨କୁ ଛାଡି ୧୦ ସେକେଣ୍ଡରେ ଅନ୍ୟସବୁ ଏୟାରକ୍ରାଫ୍ଟକୁ ଧ୍ୱଂଶ କରିିବ । ଷ୍ଟିଲଥ ମୋଡର ଫିଫ୍ଥ ଜେନେରେସନ ଫାଇଟର ଜେଟକୁ ମଧ୍ୟ ଧ୍ୱଂସ କରିପାରିବ । ଆମେରିକାର ଏଫ-୩୫ ମିଶାଇଲ ମଧ୍ୟ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମରୁ ବର୍ତ୍ତିି ପାରିବନି ।

ଭାରତକୁ ଏଭଳି ୫ଟି ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ ଯୋଗାଇ ଦେବ ଋଷିଆ । ଚୀନ ପରେ ଭାରତ ବିଶ୍ୱରେ ଦ୍ୱିତୀୟ ଦେଶ ଭାବରେ ଏଭଳି ବଡ ପ୍ରତିରକ୍ଷା ଚୁକ୍ତି କରିଛି ।

ଏଥିସହ ଋଷିୟ ଜ୍ଞାନକୌଶଳରେ ପ୍ରାୟ ୨୦୦ଟି କାମୋଭ ହେଲିକପ୍ଟର ତିଆରି କରିବା ପାଇଁ ଚୁକ୍ତି ହୋଇଛି । ପ୍ରାୟ ୧ ବିଲିୟନ ଡଲାରର ଏହି ଚୁକ୍ତି ଫଳରେ ମେକ ଇନ ଇଣ୍ଡିଆ ଯୋଜନାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ଋଶିଆନ ରୋଷ୍ଟେକ ଷ୍ଟେଟ କର୍ପୋରେସନ ମିଳିତ ଭାବେ ହାଲୁକା ହେଲିକପ୍ଟର ପ୍ରସ୍ତୁତ କରିବେ । ସିଆଚିନ ପରି ଅଧିକ ଉଚ୍ଚତାରେ ଭାରତୀୟ ସେନା ଏବେ ଚିତା ଓ ଚେତକ ଭଳି ହେଲିକପ୍ଟର ବ୍ୟବହାର କରୁଛି । ଆଗକୁ କାମୋଭ-୨୨୬-ଟି ହେଲିକପ୍ଟର ଏଗୁଡିକର ସ୍ଥାନ ନେବ ।

ଫିଫ୍ଥ ଜେନେରେସନ୍ ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବାକୁ ମଧ୍ୟ ଦୁଇ ଦେଶ ଭିତରେ ୪ ବିଲିଅନ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଅତ୍ୟାଧୁନିକ ଏୟାରକ୍ରାଫ୍ଟ ତିଆରି ପାଇଁ ଜ୍ଞାନକୌଶଳ ଯୋଗାଇ ଦେବ ଋଷିଆ ।