ଦେବତା ନୁହଁନ୍ତି ଅତିଥି ! ବିଶିଷ୍ଟ ଲେଖକ ରସ୍କିନ୍ ବଣ୍ଡ୍ ଲେଖିଲେ ଓଡିଶାର ତିକ୍ତ ଅନୁଭୁତି

32

କନକ ବ୍ୟୁରୋ : ପ୍ରଖ୍ୟାତ ଶିଶୁ ସାହିତ୍ୟିକ ରସ୍କିନ୍ ବଣ୍ଡଙ୍କ ଅନୁଭୂତିରେ ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର । ବିଦେଶୀ କହି ଅଧିକ ପ୍ରବେଶ ଦେୟ ଆଦାୟ କରିଥିଲେ ଗେଟରେ ଥିବା କର୍ମଚାରୀ । ସେହିପରି ବିଦେଶୀ ବୋଲି ମିଳିଲାନି ପୁରୀ ଜଗନ୍ନାଥ ମନ୍ଦିରକୁ ପ୍ରବେଶ ଅନୁମତି । ନିଜ ଆତ୍ମଜୀବନୀ- ଲୋନ ଫକ୍ସ ଡ୍ୟାନ୍ସିଂରେ ନିଜ ଓଡିଶା ଅନୁଭୂତିକୁ କିଛି ଏହିଭଳି ଢଙ୍ଗରେ ବଖାଣିଛନ୍ତି ପଦ୍ମ ପୁରସ୍କାର ପ୍ରାପ୍ତ ଏହି ପ୍ରଖ୍ୟାତ ଲେଖକ । ‘ଗତବର୍ଷ ମୁଁ ପୁରୀ ଓ କୋଣାର୍କ ବୁଲି ଆସିଥିଲି । ମୋତେ ବିଦେଶୀ କହି ଜଗନ୍ନାଥ ମନ୍ଦିରକୁ ପ୍ରବେଶ ଅନୁମତି ମିଳିଲାନି । ତେଣୁ କାରରେ ମୁଁ ପ୍ରାୟ ୩ ଘଂଟା ବସି ଓଡିଆ ଇତିହାସ ଉପରେ ଜେ.ପି ଦାସଙ୍କ ଲିଖିତ ଏକ ବହି ପଢିଲି ।’

‘କୋଣାର୍କରେ ମୋତେ ବିଦେଶୀ ବୋଲି କୁହାଗଲା ଏବଂ ଅଧିକ ପ୍ରବେଶ ଦେୟ ଦେବାକୁ ପଡିିଲା । କିନ୍ତୁ ମୋ ପଛରେ ଛିଡା ହୋଇଥିବା ଜଣେ ବିଦେଶୀ ଶିଖ ଯୁବକଙ୍କୁ ଭାରତୀୟ କହି ପ୍ରବେଶ ଅନୁମତି ମିଳିଲା । ମୋ ସହିତ ଥିବା ରାକେଶ ଓ ବୀଣା ଏହାର ପ୍ରତିବାଦ କଲେ ବି ମୁଁ ଭାରତୀୟ ବୋଲି ଗେଟରେ ଥିବା କର୍ମଚାରୀ ଗ୍ରହଣ କରିନଥିଲେ । ମୋତେ ବିଦେଶୀଙ୍କ ପାଇଁ ଧାର୍ଯ୍ୟ ପ୍ରବେଶ ଦେୟ ଦେବାକୁ ପଡିଥିଲା ।’

କେବଳ ରଙ୍ଗ ସଫା ହୋଇଥିବାରୁ ପ୍ରଖ୍ୟାତ ସାହିତ୍ୟିକ ରସ୍କିନ୍ ବଣ୍ଡଙ୍କୁ ବିଦେଶୀ ବୋଲି କହିବା ସହ ଅଧିକ ଫି ଆଦାୟ କରାଗଲା । ଏଭଳି ତିକ୍ତ ଅନୁଭୂତି ସଂପର୍କରେ ତାଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିବା ପରେ ଓଡିଶା ପର୍ଯ୍ୟଟନ ଶିଳ୍ପ ଉପରେ ଏକ ବିରାଟଚ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି ।

ବାପା, ମାଆ ବ୍ରିଟିଶ ହୋଇଥିଲେ ମଧ୍ୟ ହିମାଚଳ ପ୍ରଦେଶର କସଉଲିରେ ତାଙ୍କର ଜନ୍ମ । ଇଂରାଜୀରେ ଲେଖାଲେଖି କରୁଥିଲେ ବି ସେ ସଂପୂର୍ଣ୍ଣ ଭାରତୀୟ । ଶିଶୁ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନଠୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି ଭାରତ ସରକାର । ହେଲେ ସେ ଭାରତୀୟ ବୋଲି ଓଡିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର କର୍ମଚାରୀ ଗ୍ରହଣ କରିବାକୁ ନାରାଜ ।

ଏଭଳି ଏକ ସମ୍ବେଦନଶୀଳ ଅନୁଭୂତିକୁ ରସ୍କିନ୍ ବଣ୍ଡ୍ ତାଙ୍କ ଆତ୍ମଜୀବନୀରେ ସ୍ଥାନିତ କରିବା ପରେ ଚାରିଆଡୁ ସମାଲୋଚନା ଆରମ୍ଭ ହୋଇଛି । ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଥିବାବେଳେ ପର୍ଯ୍ୟଟକଙ୍କୁ କର୍ମଚାରୀଙ୍କ ବ୍ୟବହାର ପାଇଁ ସମାଲୋଚିତ ହେଉଛି କୋଣାର୍କ ସୂର୍ଯ୍ୟମନ୍ଦିର ପରି ଏକ ଐତିହାସିକ କୀର୍ତିରାଜି ।