‘ଜପଡ୍‌-୨୦୧୭’ : ରୁଷ୍‌ର ଯୁଦ୍ଧାଭ୍ୟାସରେ ନାଟୋ ଆତଙ୍କିତ

27

କନକ ବ୍ୟୁରୋ : ବେସ୍‌ନୋରିୟା ନାମକ ଏକ କାଳ୍ପନିକ ରାଷ୍ଟ୍ର ଉପରେ ରୁଷ୍‌ ଏବଂ ବେଲାରୁଷ ମିଳିତ ଭାବେ ପ୍ରଚଣ୍ଡ ହମଲା କରୁଛନ୍ତି । ଏକ ବିଶାଳ ଅଂଚଳକୁ କାଳ୍ପନିକ ରାଷ୍ଟ୍ରର ରଣକ୍ଷେତ୍ର ଭାବେ ଗ୍ରହଣ କରି ଉଭୟ ରାଷ୍ଟ୍ର ନୂଆ ନୂଆ ଅସ୍ତ୍ର ପ୍ରୟୋଗ କରୁଛନ୍ତି । ଏହି ବିଶାଳ ସମରାଭ୍ୟାସକୁ ‘ଜପଡ -୨୦୧୭’ ନାମରେ ନାମିତ କରାଯାଇଛି। ରୁଷ୍‌ର ଏଭଳି ସାମରିକ କାର୍ଯ୍ୟକ୍ରମ ନାଟୋ ଦେଶଗୁଡ଼ିକୁ ଆତଙ୍କିତ କରିଛି । ଏଥିରେ ପ୍ରାୟ ୧ ଲକ୍ଷ ସୈନ୍ୟ ଭାଗ ନେଉଥିବା ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ନାଟୋ ପକ୍ଷରୁ କୁହାଯାଇଛି ।

ସମରାଭ୍ୟାସରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରାଯାଇଛି । ଏଥିରେ ସେନାର ଏଲିଟି କମାଣ୍ଡୋ ବାହିନୀ, ସମ୍ମୁଖ ଯୁଦ୍ଧ ବାହିନୀ, ସବୁଠାରୁ ଶକ୍ତିଶାଳୀ ଟ୍ୟାଙ୍କ୍‌ ଓ ଯୁଦ୍ଧ ବିମାନ ସାମିଲ ହୋଇଛି। ଜପଡ୍‌ ସମରାଭ୍ୟାସରେ ନିୟୋଜିତ ରୁଷ ସେନା ସେପ୍ଟେମ୍ବର ୩୦ ସୁଦ୍ଧା ବେଲାରୁଷ ଛାଡ଼ିବ ବୋଲି ବେଲାରୁଷ ସରକାର କହିଛନ୍ତି । ତେବେ ସରକାରୀ ଭାବେ ଏହି ସମରାଭ୍ୟାସର ଅନ୍ତିମ ତାରିଖ ସେପ୍ଟେମ୍ବର ୨୦ ବୋଲି କୁହାଯାଇଛି । ଏକ ବାସ୍ତବ ଯୁଦ୍ଧ ପରିସ୍ଥିତିରେ ଦୁଇଦେଶର ସେନା ମଧ୍ୟରେ ସଂହତି ସ୍ଥାପନ ପାଇଁ ଏହି ଅଭ୍ୟାସ ଆରମ୍ଭ ହୋଇଥିବା କୁହାଯାଇଛି । ଏଥିରେ ବେଲାରୁଷର ପ୍ରାୟ ୬୦ ହଜାର ସୈନ୍ୟ ଭାଗ ନେଇଛନ୍ତି । ରୁଷ ଓ ବେଲାରୁଷର ସମରାଭ୍ୟାସକୁ ସମସ୍ତ ନାଟୋ ଦେଶସମୁହ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ନାଟୋ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ରୁଷ୍‌ର ଏହି ସମରାଭ୍ୟାସ ଯେ କୌଣସି ସମୟରେ ପ୍ରକୃତ ଯୁଦ୍ଧର ରୂପ ନେଇପାରେ ଓ ଅନ୍ୟ ଦେଶକୁ ନିଜ ନିୟନ୍ତ୍ରଣକୁ ନେବାକୁ ଏହା ଏକ କୌଶଳ ହୋଇଥାଇପାରେ ବୋଲି ପୋଲାଣ୍ଡ କହିଛି।

ଏହି ସମରାଭ୍ୟାସ ୟୁକ୍ରେନକୁ ଧ୍ୱଂସ କରିବାର ଉପକ୍ରମ ବୋଲି ୟୁକ୍ରେନ ରାଷ୍ଟ୍ରପତି ପେଟ୍ରୋ ପୋରୋସେନ୍‌କୋ କହିଛନ୍ତି। ଏହି ସମରାଭ୍ୟାସକୁ ଦେଖି ୟୁକ୍ରେନ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୂର୍ବରୁ ୨୦୧୫ ଫେବ୍ରୁଆରିରୁ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ସଂଗଠନମାନେ ପୂର୍ବ ୟୁକ୍ରେନର ଏକ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖି ୟୁକ୍ରେନର ସେନା ସହ ଗୁଳିମାଡ଼ ଜାରି ରଖିଛନ୍ତି। ନାଟୋ ବିଦ୍ରୋହୀମାନଙ୍କୁ ରୁଷ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ସୈନ୍ୟ ଯୋଗାଇ ଦେଉଥିବା ନାଟୋ ଅଭିଯୋଗ କରିଥିବା ବେଳେ ରୁଷ ଏହାକୁ ଖଣ୍ଡନ କରିଛି। ବେଲାରୁସ୍‌ ଓ ରୁଷ ସୀମାନ୍ତ ପୋଲାଣ୍ଡ, ଇଷ୍ଟୋନିଆ, ଲାଟ୍‌ଭିଆ ଓ ଲିଥୁଆନିଆରେ ନାଟୋ ପକ୍ଷରୁ ସୁରକ୍ଷା ପଦକ୍ଷେପ ସ୍ୱରୂପ ଲକ୍ଷାଧିକ ସୈନିକ ମୁତୟନ କରାଯାଇଛି। ୨୯ଟି ଦେଶର ପଶ୍ଚିମ ମେଣ୍ଟ ପକ୍ଷରୁ ବାଲ୍‌ଟିକ ଗଣରାଜ୍ୟ ଉପରେ ଆକାଶ ମାର୍ଗରେ ସ୍ଥିତିର ନିରୀକ୍ଷଣ କରାଯାଉଛି।