ଋଷିଆ ରାଜନୀତିରେ ବଡଧରଣର ହଲଚଲ । ସମ୍ବିଧାନରେ ସଂସ୍କାର ଲାଗି ଘୋଷଣା କଲେ ରାଷ୍ଟ୍ରପତି ପୁଟିନ, ସେପଟେ ନିଜ ପଦରୁ ଇସ୍ତଫା ଦେଲେ ଋଷିଆ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଋଷିଆରେ ଏକ ନାଟକୀୟ ରାଜନୈତିକ ଘଟଣା ଦେଖିବାକୁ ମିଳିଛି । ଦେଶର ସମ୍ବିଧାନରେ ବ୍ୟାପକ ସଂସ୍କାର ଆଣିବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଏହି ଘୋଷଣାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ଦିମିତ୍ରି ମାଦଭେଦେଭ ଇସ୍ତଫା ଦେବା ସହ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦେଇଛନ୍ତି । ପୁଟିନ ଏକ ଟେଲିଭିଜନ ଭାଷଣ ଦେଇ ଦେଶର ସମ୍ବିଧାନ, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକାରେ ବ୍ୟାପକ ସଂସ୍କାର ଆଣିବା ବିଷୟରେ ଘୋଷଣା କରିଥିଲେ । ତେବେ ଏହି ପ୍ରସ୍ତାବିତ ସଂସ୍କାର ଲାଗୁ ହେବା ପରେ ସଂସଦର କ୍ଷମତା ବଢିବା ସହ ରାଷ୍ଟ୍ରପତିଙ୍କ କ୍ଷମତା କିଛିଟା କମିବାର ସମ୍ଭାବନା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଘୋଷଣାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମାଦଭେଦେଭ ନିଜେ ଇସ୍ତଫା ଦେବା ସହ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦେଇଥିଲେ । ତେବେ ପରବର୍ତ୍ତି ସରକାର କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ନିଜ ପଦରେ ରହିବାକୁ ପୁଟିନ ମାଦଭେଦେଭଙ୍କୁ ଅନୁରୋଧ କରିଛନ୍ତି । ନୂଆ ସରକାରରେ ଉଭୟ ପୁଟିନ ଓ ମାଦଭେଦେଭଙ୍କ କ୍ଷମତା ବଢିବାର ସମ୍ଭାବନା ରହିଛି । ପୁଟିନ ଓ ମାଦଭେଦେଭ ନବଗଠିତ ଋଷିଆର ନିରାପତ୍ତା ପରିଷଦର ଯଥାକ୍ରମେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହେବାର ସମ୍ଭାବନା ରହିଛି । ଏହି ପରିଷଦ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ପରାମର୍ଶ ଦେବ । ଋଷିଆରେ ଆସନ୍ତା ୨୦୨୧ରେ ନିର୍ବାଚନ ହେବାକୁ ଯାଉଛି । ଏବେ ଶାସନ କରୁଥିବା ପୁଟିନଙ୍କ ମିଳିତ ଋଷିଆ ଦଳର ଲୋକପ୍ରିୟତା ହ୍ରାସ ପାଉଥିବାରୁ ପୁଟିନ ଏହି ସଂସ୍କାର ଘୋଷଣା କରିଥିବା କୁହାଯାଉଛି ।