ନୂଆବର୍ଷରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ । ଗତକାଲି ବୁଲିଥିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ

93

କନକ ବ୍ୟୁରୋ : ୨୦୧୭ ବର୍ଷର ଶେଷ ଦିନ ଡିସେମ୍ବର ୩୧ରେ ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଜମିଛି । ନନ୍ଦନକାନନକୁ ମୋଟ ୩୮ ହଜର ୮୩୪ ଜଣ ପର୍ଯ୍ୟଟକ ବୁଲିଆସିଥିବା ଟିକେଟ ବିକ୍ରିରୁ ଜଣାପଡିଛି । ୨୦୧୬ରେ ଶେଷ ଦିନରେ ୨୯ ହଜାର ୧୭୪ ପର୍ଯ୍ୟଟକ ଓ ୨୦୧୫ର ଶେଷ ଦିନରେ ୨୮ ହଜାର୮୭୬ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୭ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି ।

୨୦୧୭ର ଶେଷ ଦିନରେ ନନ୍ଦନକାନନ ବୁଲିଥିଲେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ। ରବିବାର ପଡିଥିବାରୁ ନନ୍ଦନକାନନ ପରିସରରେ ଖଚାଖଚ ଭିଡ଼ ଜମିଥିଲା। ଟିକେଟ ବିକ୍ରି ବାବଦକୁ ରାଜସ୍ୱ ଆଦାୟ ହୋଇଛି ୧୩ ଲକ୍ଷ ୬୭୦ଟଙ୍କା। କେବଳ ଏତିକି ନୁହେଁ ବିଗତ ବର୍ଷମାନଙ୍କରେ ଜାନୁଆରିରୁ ଡିସେମ୍ବର ମାସ ମଧ୍ୟରେ ନନ୍ଦନକାନନକୁ ଆସଥିବା ପର୍ଯ୍ୟଟକଙ୍କ ରେକର୍ଡକୁ ମଧ୍ୟ ଅତିକ୍ରମ କରି ନୂଆ ରେକର୍ଡ ସୃଷ୍ଟି କରିଛି। ୨୦୧୫ରେ ୨୧, ୬୪, ୭୮୯ ଓ ୨୦୧୬ରେ ୨୧, ୩୭, ୧୧୭ ପର୍ଯ୍ୟଟକ ନନ୍ଦନକାନନକୁ ଆସିଥିଲେ। ତେବେ ୨୦୧୭ରେ ଏହି ରେକର୍ଡ ଭଙ୍ଗ ହୋଇଛି। ଏହି ବର୍ଷ ୨୨ ଲକ୍ଷ ୪୪ ହଜାର ୮୭୧ ପର୍ଯ୍ୟଟକ ଆସିଛନ୍ତି।

ଗତ ୨୦୧୫ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ୪୩ ଲକ୍ଷ ୮୮ ହଜାର ୭୭ ଜଣ ପର୍ଯ୍ୟଟକଆସିଥିବା ଓ ୨୦୧୬ ଆର୍ଥିକ ବର୍ଷରେ ୪୧ ଲକ୍ଷ ୪୩ ହଜାର ୭୨୬ ପର୍ଯ୍ୟଟକ ଆସିଥିବା ରେକର୍ଡ ରହିଛି। ଚଳିତ ଆର୍ଥିକ ବର୍ଷର ଆଜି ତାରିଖ ଭିତରେ ନନ୍ଦନକାନନକୁ ୪୩ ଲକ୍ଷ ୭ ହଜାର ୫୨୫ ପର୍ଯ୍ୟଟକ ଆସିଛନ୍ତି।

୩ ମାସ ବାକିଥିବାରୁ ଚଳିତ ଆର୍ଥିକ ବର୍ଷ ସର୍ବକାଳୀନ ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି। ୨୦୧୭ର ଶେଷ ଦିନରେ ନନ୍ଦନକାନନ ପରିସର ୧୧୨ ଖୁଆଡ଼ ମଧ୍ୟରେ ରହିଥିବା ମୋଟ ୧୫୬ ପ୍ରଜାତିର ୩୦୦୪ ଜୀବଜନ୍ତୁଙ୍କୁ ପର୍ଯ୍ୟଟକମାନେ ଦେଖିବାକୁ ପାଇଥିଲେ। ଏଥର ନୂଆବର୍ଷ ନନ୍ଦନକାନନର ଛୁଟି ଦିନ(ସୋମବାର)ରେ ପଡ଼ିଥିବାରୁ ଦିନକ ପୂର୍ବରୁ ରବିବାରରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହୋଇଛି।

ଗତ ୨୦୧୭ ନୂଆବର୍ଷରେ ନନ୍ଦନକାନନକୁ ୫୦, ୬୪୮ ପର୍ଯ୍ୟଟକଙ୍କ ଆଗମନ ହୋଇ ନୂତନ ରେକର୍ଡ ସୃଷ୍ଟି କରିଥିଲା। ଟିକେଟ ବିକ୍ରି ବାବଦକୁ ୧୧, ୩୨, ୭୪୬ ଟଙ୍କା ଆଦାୟ ରେକର୍ଡ ହୋଇଥିଲା। ଗତ ୨୦୧୫ ନୂଆ ବର୍ଷରେ ୪୩ , ୧୬ ଓ ୨୦୧୬ ନୂଆ ବର୍ଷରେ ୪୯, ୭୮୮ ଜଣ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ନନ୍ଦନକାନନର ରେକର୍ଡ କହୁଛି।

ଏଥର ନୂଆ ବର୍ଷ ସୋମବାରରେ ପଡ଼ିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ଆଶଙ୍କା ରହିଛି। ତଥାପି ପ୍ରାୟ ୩୦ ହଜାର ପର୍ଯ୍ୟଟକ ନନ୍ଦନକାନନ ବୁଲି ନୂଆ ବର୍ଷ ପାଳନ କରିବେ ବୋଲି ଆଶା କରାଯାଇଛି। ନନ୍ଦନକାନନର ନିର୍ଦ୍ଦେଶକ ଶିଶିର ଆଚାର୍ୟ୍ୟ ପର୍ଯ୍ୟଟକ ଆଗମନ ବୃଦ୍ଧି ଲାଗି ସ୍ୱତନ୍ତ୍ର ଯୋଜନାମାନ ରଖିଛନ୍ତି।ସୂଚନା ଅନୁଯାୟୀ ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ସୋମବାର ଖୋଲା ରହୁଥିବା ବେଳେ ମଙ୍ଗଳବାର ବନ୍ଦ ରହିବ।