ସଙ୍କଟରେ ଭାରତୀୟ ଅର୍ଥନୀତି ! ଡଲାର ତୁଳନାରେ ଟଙ୍କା କମିଲା । ୭୦ ଛୁଇଁଲା ଡଲାରର ବିନିମୟ ମୂଲ୍ୟ

34

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ରେକର୍ଡ ସ୍ତରରେ ହ୍ରାସ ପାଇଛି । ତୁର୍କୀର ଆର୍ଥିକ ସଙ୍କଟ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି । କିନ୍ତୁ ଆମେରିକୀୟ ଡଲାର ସ୍ତରକୁ ଏହା ମଜବୁତ କରିଛି । ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ ଟଙ୍କା ଛୁଇଁଛି । ଗତ କିଛି ଦିନ ଧରି ଲଗାତାର ଭାବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବଢ଼ୁଥିବାରୁ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏଥିପାଇଁ ତୁର୍କୀର ଆର୍ଥିକ ସଙ୍କଟକୁ ଦାୟୀ କରାଯାଇଛି । ଗତ ୪ବର୍ଷ ହେଲା ତୁର୍କୀରେ ଆର୍ଥିର୍କ ସଙ୍କଟ ଲାଗି ରହିଛି ।

ପ୍ରାୟ ୭୦ ବର୍ଷ ତଳେ ଅର୍ଥାତ ୧୯୪୭ ମସିହାରେ ୧ ଆମେରୀକୀୟ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୧ ଟଙ୍କା ସହିତ ବରାବର ଥିଲା। ଅର୍ଥାତ ୧ ଟଙ୍କା ସମାନ ୧ ଡଲାର। ମାତ୍ର ଦେଶ ଆସନ୍ତାକାଲି ସ୍ୱାଧିନତାର ୭୧ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ଆଜି ଭାରତୀୟ ଟଙ୍କା ତୁଳନାରେ ଡଲାର ସର୍ବାଧିକ ଉଚ୍ଚତା ଛୁଇଁଛି। ଅର୍ଥାତ ଆଜି ୧ ଆମେରିକୀୟ ଡଲାରର ମୂଲ୍ୟ ୭୦ ଟଙ୍କା ଅତିକ୍ରମ କରିଛି। ଲଗାତର ଭାବେ ଟଙ୍କାର ମୂଲ୍ୟ ହ୍ରାସ ଘଟୁଥିବାରୁ ଏହା ଭାରତୀୟ ଅର୍ଥନୀତି ଉପରେ କୁପ୍ରଭାବ ପକାଇବ ବୋଲି ଅର୍ଥନୈତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଆଜି ୧ ଡଲାରର ମୂଲ୍ୟ ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ଗତକାଲି ଟଙ୍କାର ମୂଲ୍ୟ ଲଗାତର ଭାବେ ହ୍ରାସ ଘଟି ୬୯.୯୩ରେ ପହଞ୍ଚିଥିଲା। ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ୧ ଟଙ୍କା ୧୦ ପଇସା ହ୍ରାସ ଘଟିବା ପରେ ଆଜି ସକାଳୁ ପୁଣି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି। କୁହାଯାଉଛି ତୁର୍କୀ ର ‘ଲିରା’ ମୂଲ୍ୟରେ ହ୍ରାସ ଡଲାରକୁ ମଜବୁତ୍ କରିବା ସହିତ ଭାରତୀୟ ଟଙ୍କାକୁ ଦୁର୍ବଳ କରିଛି। ଯଦି ଏହି ଧାରା ଜାରି ରହେ, ତେବେ ବିଶ୍ୱ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଟଙ୍କାର ଏହି କ୍ରମାଗତ ହ୍ରାସକୁ ଆଗରେ ରଖି ଏହାକୁ ଉଦ୍ଧାର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଉଦ୍ୟମ ଆରମ୍ଭ କରିଛି ।