ଚର୍ଚ୍ଚାରେ ରହସ୍ୟମୟ ହ୍ରଦ ରୂପକୁଣ୍ଡ ! ହିମାଳୟର ଶିଖରରେ ଲୁଚିରହିଥିବା ଏହି ହ୍ରଦ କୂଳରେ ପଡିଛି ୫ଶହ ନରକଙ୍କାଳ

65

କନକ ବ୍ୟୁରୋ : ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ବୈଜ୍ଞାନିକମାନେ ମଧ୍ୟ କୌଣସି ତଥ୍ୟ ଖୋଜି ବାହାର କରିପାରି ନାହାନ୍ତି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି ଉତରାଖଣ୍ଡରେ । ହିମାଳୟର ଶିଖରେ ରହିଛି ୫୦୦ରୁ ଉର୍ଦ୍ଧ୍ୱ ନରକଙ୍କାଳକୁ ନେଇ ଏକ ହ୍ରଦ ରୂପକୁଣ୍ଡ ।

ବିସ୍ତୃତ ହିମାଳୟର ଶିଖରରେ ଲୁଚିରହିଛି ଏକ ରହସ୍ୟମୟ ହ୍ରଦ ରୂପକୁଣ୍ଡ । ଏହାର କୂଳରେ ପଡିରହିଥିବା ପାଂଚ ଶହ ନରକଙ୍କାଳ ଏହାକୁ ସାରା ବିଶ୍ୱରେ ଚର୍ଚ୍ଚିତ କରିଛି । ପାଂଚ ହଜାର ମିଟର ଉଚ୍ଚରେ ଥିବା ଏହି ହ୍ରଦ ସଂପୂର୍ଣ୍ଣରୁପେ ଜନଶୁନ୍ୟ । ବର୍ଷସାରା ଏହି ହ୍ରଦ ଥଣ୍ଡାରେ ଜମିରହିଥାଏ, କିନ୍ତୁ ଖରାଦିନେ ପ୍ରବଳ ଗରମରେ ବରଫ ତରଳିଲେ ଏହି ହ୍ରଦର କୂଳରେ ନର କଙ୍କାଳ ପଡିଥିବାର ଦେଖିବାକୁ ମିଳେ । ୧୯୪୨ରେ ଏହି ହ୍ରଦର ଅନୁସନ୍ଧାନ ମିଳିଥିଲା । କୁହାଯାଏ ବନଅଧିକାରୀଙ୍କ ଏକ ଦଳ ଦୁର୍ଲ୍ଲଭ ଫୁଲର ଅନୁସନ୍ଧାନରେ ହିମାଳୟର ଶିଖରକୁ ଯାଇଥିବାବେଳେ ଏହି ହ୍ରଦକୁ ଆବିସ୍କାର କରିଥିଲେ । ସେତେବେଳେ ଏହି ନରକଙ୍କାଳ ସବୁ ପଡି ରହିଥିଲା । ତେବେ ଗବେଷକଙ୍କ ଅନୁସାରେ ଏହି କଙ୍କାଳ ସବୁ ବୋହୁ ବର୍ଷ ପୁରୁଣା । ଦୁନିଆର ଅନେକ ଐତିହାସିକ ଏହି ହ୍ରଦରେ ପଡିଥିବା ନରକଙ୍କାଳର ସତ୍ୟତା ଅନୁସନ୍ଧାନରେ ଲାଗିପଡିଲେ । ଏହି ନରକଙ୍କାଳ କାହାର? ଏଠାକୁ କିପରିଆସିଲା? କିଏ ଏହି ଲୋକମାନେ? କ’ଣ ଏମାନଙ୍କର ଏହି ସ୍ଥାନରେ ହତ୍ୟା କରାଯାଇଥିଲା? ସାମୂହିକରୂପେ ହତ୍ୟା କରାଯାଇଥିବା ଏତେ ଲୋକ କେଉଁ କାରଣ ପାଇଁ ଏଠାକୁ ଆସିଥାଇପାରନ୍ତି ଏବଂ କିଏ ଏମାନଙ୍କୁ ହତ୍ୟା କରିଥାଇପାରେ?

ପ୍ରଥମେ ଏହା ଅନୁମାନ କରାଗଲା ଯେ ଏହି କଙ୍କାଳ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତର ଏହି ସୀମା ଦେଇ ଯାଇଥିବା ଜାପାନୀ ସୈନିକମାନଙ୍କର ହୋଇଥାଇପାରେ ଯେଉଁମାନେ ଏଠିକାର ଭୟଙ୍କର ଥଣ୍ଡାର ଶିକାର ହୋଇ ମୃତ୍ୟୁବରଣ କରିଥାଇପାରନ୍ତି । କିନ୍ତୁ ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଲା ଏହି କଙ୍କାଳ ଦ୍ୱିତୀୟ ବିଶ୍ୱଯୁଦ୍ଧର ବହୁ ସମୟ ପୂର୍ବର । ଏହି କଙ୍କାଳ ନିକଟରୁ ଅନେକ ପୁରାତନ ବସ୍ତୁ ଅନୁସନ୍ଧାନକାରୀଙ୍କୁ ମିଳିଥିଲା । ଯେଉଁଥିରେ କାଠ ଓ ଲୁହାରେ ତିଆରି ପ୍ରାଚିନ ବସ୍ତୁ, ଅସ୍ତ୍ରଶସ୍ତ୍ର, ଅଳଙ୍କାର ଏବଂ ଚମଡାରେ ତିଆରି ଯୋତାମାନ ରହିଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ ବସ୍ତୁ ଯାହା ହସ୍ତଗତ ହୋଇଥିଲା ତାହାଥିଲା ଏହି କଙ୍କାଳମାନଙ୍କ ନଖ, ଚୁଟି ଓ ମାଂସର ଅବଶେଷ । ଏଥିରୁ ଅନୁମାନ କରାଗଲା ଏହି କଙ୍କାଳ କିଛି ଦଶକ ପୁରୁଣା କାରଣ ବେଶି ପୁରୁଣା ହୋଇଥିଲେ ଏସବୁ ଅବଶେଷ ମିଳିବା ଅସମ୍ଭବ ।

ମାତ୍ର ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିର ଗବେଷଣା ଅନୁସାରେ ଜଣାପଡିଲା ଏହି କଙ୍କାଳ ବାରଶହ ବର୍ଷ ପୁରୁଣା । ଏଠିକାର କିମ୍ବଦନ୍ତୀ ଅନୁସାରେ ଏହି କଙ୍କାଳ ସବୁ କନୌଜର ରାଜାରାଣୀ ଓ ସେମାନଙ୍କ ସୈନ୍ୟସାମନ୍ତଙ୍କର ଯେଉଁମାନେ ତୀର୍ଥରେ ବାହାରିଥିଲେ । କିନ୍ତୁ ଅଚାନକ ଆସିଥିବା ଏକ ବରଫର ତୋଫାନ ପୁରା ସମୂହର ଜୀବନ ନେଇଯାଇଥିଲା । କିନ୍ତୁ କେଉଁ ଘଟଣା ପାଇଁ ଏହି ମୃତ୍ୟୁର ତାଣ୍ଡବ ଘଟିଥିଲା ତାହା ଆଜିବି ରହସ୍ୟମୟ ହୋଇ ରହିଛି ।