ଚଳନ୍ତା ଟ୍ରେନରେ ଡ୍ରାଇଭର ହେଲେ ବେହୋସ ! ଏକ ବଡ ଟ୍ରେନ ଦୁର୍ଘଟଣାରୁ ରକ୍ଷା ପାଇଗଲେ ଯାତ୍ରୀ

42

ପୁଣି ଏକ ନିଶ୍ଚିତ ଟ୍ରେନ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ଯାତ୍ରୀ । ପଶ୍ଚିମବଙ୍ଗରେ ଏକ ଇଏମୟୁ ଟ୍ରେନରେ ଯାତ୍ରା କରୁଥିବା ଶତାଧିକ ଯାତ୍ରୀ ଆଜି ଏକ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଘଟିଛି ପୂର୍ବ ରେଳବାଇ ଅଧୀନସ୍ଥ ବର୍ଦ୍ଧମାନ ଜିଲ୍ଲା ଅନ୍ତର୍ଗତ ଦାଇହାଟ ଷ୍ଟେସନ ନିକଟରେ, ଦିନ ପ୍ରାୟ ୧୧ଟା ୧୨ ମିନିଟ ସମୟରେ। ଟ୍ରେନଟି ଏକ ନିଶ୍ଚିତ ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଅତ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ବର୍ତ୍ତି ଯାଇଥିବା ସଂପର୍କରେ ସୂଚନା ଦେଇଛନ୍ତି ପୂର୍ବ ରେଳପଥର ମୁଖପାତ୍ର ଆରଏନ ମହାପାତ୍ର।

Utkal1ଏହି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବ ରେଳପଥର ମୁଖପାତ୍ର ଆରଏନ ମହାପାତ୍ର କହିଛନ୍ତି, ସୋମବାର ପୂର୍ବାହ୍ନରେ ହାଓ୍ଵଡାରୁ କଟଓ୍ଵା ଯାଉଥିବା ୩୭୯୧୩ ନମ୍ବର ବିଶିଷ୍ଟ ଇଏମୟୁ ଟ୍ରେନର ଡ୍ରାଇଭର ଆଇ ହାଲଦାର୍ ଟ୍ରେନ୍ ଚାଲୁଥିବା ଅବସ୍ଥାରେ ଦାଇହାଟ ଷ୍ଟେସନ ପରେ ପରେ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେ ହିଁ ଥିଲେ ଟ୍ରେନର ଏକମାତ୍ର ଡ୍ରାଇଭର। ତେବେ, ସୌଭାଗ୍ୟକୁ ଗୁରୁତର ଅସୁସ୍ଥ ହେବା ପୂର୍ବରୁ ଡ୍ରାଇଭର ଶ୍ରୀ ହାଲଦାର ଯେତେବେଳେ ଆଶ୍ୱସ୍ତି ଅନୁଭବ କଲେ ସେତେବେଳେ ସେ ସଙ୍ଗେ ସଙ୍ଗେ ଜରୁରିକାଳୀନ ବ୍ରେକ୍ ଦେଇ ଚଳନ୍ତା ଟ୍ରେନକୁ ଧାରଣା ଉପରେ ଅଟକାଇ ଦେଇଥିଲେ।

ପରେ ପରେ ସେ ଅଚେତ୍ ଅବସ୍ଥାରେ ତାଙ୍କ ଡ୍ରାଇଭର କ୍ୟାବିନ୍ ମଧ୍ୟରୁ ସେ ରେଳ ଧାରଣା ଉପରକୁ ଖସି ପଡ଼ିଥିଲେ। ପରେ ସଂପୃକ୍ତ ଟ୍ରେନରେ ଯାତ୍ରା କରୁଥିବା କେତେକ ଯାତ୍ରୀ ଟ୍ରେନର ଗାର୍ଡ ବି. ରାମଙ୍କ ସହାୟତାରେ କଟଓ୍ଵା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଘଟଣା ସଂପର୍କରେ ଖବର ପାଇବାପରେ ନିକଟସ୍ଥ ଷ୍ଟେସନରୁ ଅଧିକାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିବା ସହ ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ଟ୍ରେନକୁ ଗନ୍ତବ୍ୟ ପଥରେ ନେଇଥିଲେ।

ତେବେ, ଏହି ଘଟଣା କାରଣରୁ ସଂପୃକ୍ତ ରୁଟରେ ପ୍ରାୟ ଦୁଇ ଘଣ୍ଟା ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ ପୂର୍ବ ରେଳବାଇ ପକ୍ଷରୁ ଆଜି ସନ୍ଧ୍ୟାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।