ସୋସିଆଲ ମିଡିଆର ଗୁଜବକୁ ଏସଆରସିର ଖଣ୍ଡନ ! ବାତ୍ୟା ଗୁଜବକୁ କରନ୍ତୁନି ବିଶ୍ୱାସ ।

8

କନକ ବ୍ୟୁରୋ : ତିତଲି ପରେ ମାଡିଆସୁଛି ଆଉ ଏକ ଭୟଙ୍କର ବାତ୍ୟା । କିଏ କହୁଛି ଅକ୍ଟୋବର ଶେଷ ସପ୍ତାହରେ ଏହି ବାତ୍ୟା ହେବାକୁ ଥିବା ବେଳେ ଆଉ କିଏ କହୁଛି ନଭେମ୍ବର ମାସରେ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା । କିଛି ଏଭଳି ମେସେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ସ୍ଥାନରେ ଲୋକମାନେ ଏବେ ଠାରୁ ଆତଙ୍କିତ ହୋଇଗଲେଣି । କାରଣ ବାତ୍ୟା ତିତଲି ପ୍ରଭାବରେ ଅନେକ ସ୍ଥାନ ଏବେବି ଜଳମଗ୍ନ ହୋଇ ରହିଥିବା ବେଳେ ଏଭଳି ମେସେଜ ଲୋକମାନଙ୍କୁ ଅତ୍ୟନ୍ତ ଡରାଉଛି । ଏପରିକି ଏହି ବାତ୍ୟାର ନାମକରଣ ମଧ୍ୟ ସରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଗୁଜବ ବାତ୍ୟାର ନାଁ ‘ଗାଜା’ ରଖାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ଏହି ମେସେଜକୁ ଏସଆରସି ପକ୍ଷରୁ ଗୁଜବ ବୋଲି କୁହାଯାଇଛି । ଲୋକମାନେ ଏଭଳି ଗୁଜବ ମେସେଜକୁ ବିଶ୍ୱାସ ନକରିବା ପାଇଁ ଏସଆରସି ପକ୍ଷରୁ ଟ୍ୱିଟ୍ ଦ୍ୱାରା କୁହାଯାଇଛି । ଏଭଳି ମେସେଜ ସାମାଜିକ ଭାବେ ଗ୍ରହଣୀୟ ନୁହଁ । ତେଣୁ ଏହା ଏକ ଅପରାଧିକ ଶ୍ରେଣୀର ଅନ୍ତର୍ଭୁକ୍ତ । ତେବେ ଏଭଳି ମେସେଜରେ ବିଶ୍ୱାସ ନକରିବା ପାଇଁ ଏସଆରସି ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଛି ।

Comments are closed.