ଗୋଟିଏ ଗୁଜବ, ଆଉ ସ୍ୱାହା ହୋଇଗଲା ୧୧ ହଜାର କୋଟି ! ଜାଣନ୍ତୁ ପୂରା ଘଟଣା

31

ଭାରତୀୟ ସେୟାର ବଜାର ପାଇଁ ବ୍ଲାକ ଫ୍ରାଇଡେ । ଆଜି ଅଚାନକ ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇବା ଫଳରେ ସେୟାର ମାର୍କେଟରେ ଝଡ ସୃଷ୍ଟି ହୋଇଥିଲା । ବିଏସଇ ସେନସେକ୍ସ ପ୍ରାୟ ୧୧୨୭.୫୮ ପଏଣ୍ଟ ହ୍ରାସ ପାଇ ୩୬,୪୮୫.୮୪ ପଏଣ୍ଟରେ ପହଞ୍ଚିଥିଲା । ତେବେ ସେନସେକ୍ସ ହଠାତ ହ୍ରାସ ପାଇ ଅଳ୍ପ ସମୟ ମଧ୍ୟରେ ନିଜକୁ ସୁଧାରି ନେଇଥିଲା । କେବଳ ସେନସେକ୍ସ ନୁହେଁ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ମଧ୍ୟ ପ୍ରାୟ ୪୦୦ ପଏଣ୍ଟ ହ୍ରାସ ପାଇ ୧୧ ହଜାର ପଏଣ୍ଟ ତଳକୁ ଖସିଯାଇଥିଲା । ଆଉ ସେୟାର ବଜାରର ଏଭଳି ଅବସ୍ଥା କେବଳ ଗୋଟିଏ ଗୁଜବ ଯୋଗୁଁ ଦେଖାଦେଇଥିଲା ।

ସୂଚନା ଅନୁଯାୟୀ, ସେୟାର ମାର୍କେଟ ଚାଲୁଥିବା ବେଳେ ଆଜି ହଠାତ୍ ଦୀବାନ ହାଉସିଂ ଫାଇନାନ୍ସ ଲିମିଟେଡ(DHFL)ର ଦେବାଳିଆ ସ୍ଥିତି ଉପୁଜିଛି ବୋଲି ଏକ ଗୁଜବ ଉଠିଥିଲା । ଆଉ ଏହି ଗୁଜବ ଏଭଳି ଭାବରେ ବ୍ୟାପିଥିଲା ଯେ, ସେୟାର ମାର୍କେଟରେ ଚହଳ ସୃଷ୍ଟି ହୋଇଥିଲା । ଏହି ଗୁଜବ ପରେ କମ୍ପାନିର ସେୟାରରେ ୬୦ ପ୍ରତିଶତ ହ୍ରାସ ହୋଇଥିଲା । ଯାହାଫଳରେ ଗୋଟିଏ ମିନିଟ ମଧ୍ୟରେ କମ୍ପାନିର ୧୧ ହଜାର କୋଟି ଟଙ୍କା କ୍ଷତି ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହାର ସତ୍ୟତା ସାମ୍ନାକୁ ଆସିବା ପରେ କମ୍ପାନିର ସେୟାର ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଥିଲା ।

ଏହି ଗୁଜବ ପରେ କେବଳ ଡିଏଚଏଫଏଲ ନୁହେଁ ବରଂ ହୋମ ଫାଇନାନ୍ସ, ଏଲଆଇସି ହାଉସିଙ୍ଗ ଫାଇନାନ୍ସ ଓ ଇଣ୍ଡିଆ ବୁଲ୍ସ ହାଉସିଙ୍ଗ ଫାଇନାନ୍ସର ସେୟାର ମୂଲ୍ୟରେ ମଧ୍ୟ ହ୍ରାସ ହୋଇଥିଲା । ସେହିଭଳି ୟସ ବ୍ୟାଙ୍କ ଓ ଜେଟ ଏୟାରୱେଜର ସେୟାର ମୂଲ୍ୟରେ ହ୍ରାସ ଫଳରେ ନିବେଶକାରୀଙ୍କ ହୃତସ୍ପଦନ ବଢାଇ ଦେଇଥିଲା । ତେବେ କିଛି ସମୟ ପରେ ପୁଣିଥରେ ଟ୍ରାକକୁ ଫେରିଥିଲା ସେୟାର ମାର୍କେଟ ଓ ଆଶ୍ୱସ୍ତି ପାଇଥିଲେ ନିବେଶକାରୀ ।