ଗୁଜବ ପାଇଁ ରାତିସାରା ଦୀପ ଜାଳିଲେ ସଧବା ମହିଳା !

ତାରିଣୀ ପୀଠକୁ ନେଇ ବଡ ଗୁଜବ । ମନ୍ଦିର ପ୍ରଶାସନ କହିଲା ସମ୍ପୂର୍ଣ୍ଣ ମିଛ

1,410

କନକ ବ୍ୟୁରୋ : ରାତି ତମାମ ଠାକୁରଙ୍କ ପାଖରେ ଜଳିଲା ଦୀପ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଖବର ପଛରେ ଧାଇଁଲା ସାରା ଓଡିଶା । ରାଜ୍ୟର ଅଧିକାଂଶ ସ୍ଥାନରେ ସଧବା ମହିଳାମାନେ ରାତିରେ ଅଳତା ସିନ୍ଦୁର ପିନ୍ଧି ଠାକୁରଙ୍କ ପାଖରେ ଦୀପଟିଏ ଜାଳିବାର ଚିତ୍ର ସାମନାକୁ ଆସିଛି । ଖୋଳତାଡ କରିବା ପରେ ଜଣାପଡିଛି, ଏକ ଗୁଜବକୁ ନେଇ ଏଭଳି କରିଛନ୍ତି ମହିଳାମାନେ ।

ହଠାତ୍ ଏକ ଖବର ବ୍ୟାପିବାକୁ ଲାଗିଲା ଯେ ଘଟଗାଁର ପ୍ରସିଦ୍ଧ ମାଆ ତାରିଣୀଙ୍କ ପୀଠରେ ଲିଭି ଯାଇଛି ଅଖଣ୍ଡ ଦୀପ । ଏପରିକି ମାଆଙ୍କ ଶାଢୀ ପୋଡିଯାଇଥିବା ନେଇ ଗୁଜବ ମୋବାଇଲରୁ ମୋବାଇଲକୁ ଘୂରିବାକୁ ଲାଗିଲା । ମେସେଜରେ କୁହାଗଲା ରାତିରେ ସଧବା ମହିଳାମାନେ ଠାକୁରଙ୍କ ପାଖରେ ଦୀପଟିଏ ନଜାଳିଲେ ପରିବାର ପ୍ରତି ଅନିଷ୍ଟ ହେବ । ବାସ୍ ଏହି ଗୁଜବ ପଛରେ ଧାଇଁଲା ସାରାଓଡିଶା । ଆଉ ରାତିରେ ସଧବା ମହିଳାମାନେ ସଜ ହୋଇ ଠାକୁରଙ୍କ ପାଖରେ ଦୀପ ଜାଳିବାକୁ ଲାଗିଲେ । ଏକବିଂଶ ଶତାବ୍ଦୀରେ ଯେତେବେଳେ ସମସ୍ତଙ୍କ ହାତରେ ଏକ ସ୍ମାର୍ଟ ଫୋନ୍ ରହିଛି ଠିକ୍ ସେତିକିବେଳେ ଜଙ୍ଗଲର ନିଆଁ ପରି ବ୍ୟାପି ଯାଉଛି ଏକ କପୋଳକଳ୍ପିତ ଖବର । ଖବରର ସତ୍ୟତା ନଜାଣି ଅନ୍ଧ ଭଳି ତା ପଛରେ ଧାଉଁଛନ୍ତି ସଚେତନ ନାଗରିକ ।

ଏଭଳି ଖବର ବ୍ୟାପିବା ପରେ ଆମେ ଘଟଗାଁ ତାରିଣୀ ପୀଠ ସହ ଯୋଗାଯୋଗ କରିଥିଲୁ । ଆଉ ଆମକୁ ଯେଉଁ ସୂଚନା ମିଳିଲା ତାହା ସମସ୍ତଙ୍କୁ ଚକିତ କଲାଭଳି । ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଖବର ସମ୍ପୂର୍ଣ ମିଛ ଏବଂ କପୋଳକଳ୍ପିତ । ଘଟଗାଁ ତାରିଣୀ ମନ୍ଦିରରେ ଅଖଣ୍ଡ ଦୀପ ଜାଳିବା ଭଳି କୌଣସି ବିଧି ନାହିଁ । ସେହିପରି ମାଆଙ୍କ ଶାଢୀ ପୋଡିଯିବା ଭଳି କୌଣସି ଅଘଟଣ ଘଟିନାହିଁ । ତେଣୁ ସ୍ପଷ୍ଟ ହୋଇଯାଇଥିଲା ସୋସିଆଲ ମିଡିଆରେ ବ୍ୟାପିଥିବା ଏହି ଖବର ସମ୍ପୂର୍ଣ୍ଣ ଗୁଜବ । ଆଉ ଏଭଳି ଗୁଜବରୁ ଦୁରେଇ ରହିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କୁ ଅନୁରୋଧ କରାଯାଇଛି ।