ଗୁଜବ ପରେ ବାବୁସାନ ବଦନାମ୍ ! ଚକଲେଟ୍ ବୟ ମାଡ ଖାଇଥିବା ନେଇ ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

210

କନକ ବ୍ୟୁରୋ : ଓଲିଉଡର ଚକଲେଟ୍ ବୟଙ୍କୁ ମାଡ ମାରି ଲହୁଲୁହାଣ । ରିଲ୍ ଲାଇଫରେ ମାଡ ମାରୁଥିବା ବାବୁ ରିଅଲ ଲାଇଫରେ ବି ମାଡ ଖାଇ ଘାଇଲା । ମାତ୍ର କେଇ ମିନଟ ଭିତରେ ସାରା ରାଜ୍ୟରେ ଚହଳ ପକେଇ ଦେଇ ଏହି ଘଟଣା । ଚନ୍ଦକା ଥାନା ଅଧିନ ମଳିପଡାରେ ଏହି ଓଲିଉଡ ହିରୋ ବାବୁସାନଙ୍କୁ ମାଡ ମରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଲା । ରାତି ୧୧ଟାରେ ଫିଲ୍ମ ସୁଟିଂ ସାରି ଘରକୁ ଫେରିବା ବେଳେ, କାର୍ ଦୁର୍ଘଟଣାକୁ କେନ୍ଦ୍ର କରି ମାଡ ଖାଇ ଯାଇଛନ୍ତି ବୋଲି ଚର୍ଚ୍ଚା ଚାଲିଲା । ହେଲେ ଏହି ଘଟଣାରେ କୌଣସି ସତ୍ୟତା ନାହିଁ, ବରଂ ଏହା ଏକ ଗୁଜବ ବୋଲି କହିଛନ୍ତି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ।

ବାବୁସାନଙ୍କୁ ମଳିପଡାରେ ଆକ୍ରମଣ ଘଟଣାରେ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ ଜଣେ ଯୁବକଙ୍କ ଦେହ ରକ୍ତରେ ଜୁଡୁବୁଡୁ । ମୁଣ୍ଡର ଗୋଟିଏ ପଟ ଫାଟି ବ୍ୟାଂଡେଜ କରାଯାଇଛି । ଏହା ସୁପରଷ୍ଟାର ବାବୁସାନଙ୍କ ଫଟୋ ବୋଲି ସୋସିଆଲ ସାଇଟରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଗଣମାଧ୍ୟମ ଆଗରେ ମତ ରଖିଛନ୍ତି ବାବୁସାନ । କହିଛନ୍ତି ମୋ ସହ ଏଭଳି କିଛି ଘଟଣା ଘଟିନି । ଭାଇରାଲ ହୋଇଥିବା ଫଟୋ ମୋର ନୁହଁ ।

ବାବୁସାନଙ୍କୁ ମାଡ ମାରି ଲହୁଲୁହାଣ କରାଯାଇଥିବା ଗୁଜବ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏପଟେ ବାବୁଙ୍କୁ ସୁଟିଂ ସେଟରେ ଦେଖିବାକୁ ମିଳିଥିଲା ।