‘ଶକ୍ତିମାନ୍’ ଦେଖି ପିଲା କରୁଥିଲେ ଆତ୍ମହତ୍ୟା ! ସାମ୍ନାକୁ ଆସିଲା ଘଟଣା ପଛର ସତ

85

ପୁଣି ଆସିପାରେ ‘ଶକ୍ତିମାନ୍’ । ପୁଣି ଟେଲିଭିଜନ ପରଦାରେ ଦେଖିବାକୁ ମିଳିପାରେ ମୁକେଶ ଖନ୍ନାଙ୍କ ବହୁ ଚର୍ଚ୍ଚିତ ଧାରାବାହିକ । ତେବେ କେବଳ ଚର୍ଚ୍ଚା ନୁହେଁ ଅନେକ କଳଙ୍କ ମଧ୍ୟ ମୁଣ୍ଡାଇଛି ଶକ୍ତିମାନ୍ । କାରଣ ଶୁଣିବାକୁ ମିଳିଥିଲା ଯେ ଶକ୍ତିମାନ ଦେଖିବା ପରେ କେହି ପିଲା ଛାତ ଉପରୁ ଡେଇଁ ପଡିଥିଲେ ତ ଆଉ କେହି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ସେମାନେ ଭାବୁଥିଲେ ଯେ ଶକ୍ତିମାନ ସେମାନଙ୍କୁ ବଂଚାଇବାକୁ ଆସିବ ବୋଲି ।

କିନ୍ତୁ ଏବେ ସାମ୍ନାକୁ ଆସିଛି ଘଟଣା ପଛର ସତ । ଶକ୍ତିମାନ ଦେଖି କୌଣସି ପିଲା ଏପରି କରିନଥିଲେ । ବରଂ ଏସବୁ ପଛରେ ଅଲଗା କିଛି କାରଣ ଥିଲା । ତେବେ ସତ ଜାଣିବା ପୂର୍ବରୁ ନଜର ପକାନ୍ତୁ ସେହି ବହୁ ଚର୍ଚ୍ଚିତ ଦୁର୍ଘଟଣା ଉପରେ ଯାହା ଶକ୍ତିମାନ ପାଇଁ ଥିଲା ଏକ କଳଙ୍କିତ ଅଧ୍ୟାୟ ।

କଣ ଥିଲା ଘଟଣା : 
୧୭ ଡିସେମ୍ବର ୧୯୯୮ରେ କର୍ଣ୍ଣାଟକର ଦୁଇଜଣ ୧୦ବର୍ଷୀୟା ନାବାଳିକା ବର୍ଷା ଓ ଆସ୍ମା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ଦର୍ଶାଯାଇଥିଲା ଉଭୟ ଶକ୍ତିମାନ ଦେଖି ଏପରି କରିଥିଲେ ।

ସେହିପରି ୨୭ ଡିସେମ୍ବର ୧୯୯୮ରେ ସମାନ ଘଟଣା ଘଟିଥିଲା ବିହାରରେ । ରାକେଶ ଓ ଶୁଭମ୍ ନାମକ ଦୁଇଜଣ ପିଲା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ଥିଲା ଶକ୍ତିମାନ୍ ।

୧୪ ଫେବ୍ରୁଆରୀ ୧୯୯୯ରେ ନାସିକର ୯ବର୍ଷର ଦିନେଶ ମଧ୍ୟ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ଦିନେଶ ଭାବୁଥିଲା ଶକ୍ତିମାନ ଆସିବ ବଂଚାଇବାକୁ ।

ଘଟଣା ପଛର ସତ :
ବର୍ଷା ଓ ଆସ୍ମା ଶକ୍ତିମାନ ଦେଖି ଏପରି କରିନଥିଲେ । କାରଣ ଉଭୟଙ୍କ ଘରେ ଟିଭି ହିଁ ନଥିଲା । ବରଂ ରିପୋର୍ଟ ଅନୁସାରେ ସେମାନେ ପରସ୍ପରକୁ ରାଗରେ ନିଆଁ ଲଗାଇ ଦେଇଥିଲେ ।

ସେହିପରି ବିହାର ଘଟଣା ମଧ୍ୟ ଶକ୍ତିମାନ ପାଇଁ ହୋଇନଥିଲା । ଘଟଣାରେ ଇଣ୍ଡିଆ ଟୁଡେ ଛାନଭିନ୍ କରିବା ପରେ ଜଣା ପଡିଥିଲା କାରଣ ଶକ୍ତିମାନ ନୁହେଁ ଅଲଗା କିଛି ।

ଦିନେଶ ମାମଲାରେ ମଧ୍ୟ ଶକ୍ତିମାନ୍ ଦାୟୀ ନଥିଲା । ବରଂ ଚା’ ତିଆରି କରିବା ବେଳେ ନିଆଁ ଲାଗି ଦିନେଶର ମୃତ୍ୟୁ ହୋଇଥିଲା ।

ଏପରି ଗୁଜବ ପଛର କାରଣ :
ମୁକେଶ ଖନ୍ନା ଏବଂ ତାଙ୍କ ସହ ଜଡିତ ଲୋକଙ୍କ କହିବା ଅନୁଯାୟୀ, ମୁକେଶ ବିଜେପିର ସମର୍ଥକ ଥିଲେ । ତେଣୁ ଅନେକ ଏହାକୁ ପସନ୍ଦ କରୁନଥିଲେ ।

ସେହିପରି ଶକ୍ତିମାନରେ ପ୍ରସାରିତ ହେଉଥିବା ଶିକ୍ଷା ଯୋଗୁଁ ଗୁଟଖା ଏବଂ ସୁପାରୀ ବିକ୍ରି କରୁଥିବା ବ୍ୟବାସାୟୀଙ୍କ କ୍ଷତି ହେଉଥିଲା ।

ଅନ୍ୟ ଏକ କାରଣ ହେଉଛି ଶକ୍ତିମାନ ନମ୍ବର ୱାନ୍ ଧାରାବାହିକ ଥିଲା । ଯାହାର ଟିଆରପି ସେ ସମୟରେ ଥିଲା ୨୪.୮ । ତେଣୁ ଅନେକ ଏଥିରେ ଇର୍ଷାପରାୟଣ ହୋଇ ଏପରି ଗୁଜବ କରିଥିଲେ ।

ତେବେ ଉପରୋକ୍ତ ଘଟଣା ସବୁଥିଲା ‘ଶକ୍ତିମାନ’ ପାଇଁ ଏକ କଳଙ୍କିତ ଅଧ୍ୟାୟ । କେବଳ ତାଳି ନୁହେଁ ଏହି କାରଣ ପାଇଁ ଅନେକ ଗାଳି ମଧ୍ୟ ଶୁଣିଥିଲା ‘ଶକ୍ତିମାନ’ । ଏବେ ଧାରାବାହିକର ପୁନଃପ୍ରସାରଣ ଖବର ପୁଣି ଥରେ ଏହି ସବୁ ସ୍ମୃତିକୁ କରି ଦେଇଛି ତାଜା ।

ସୌଜନ୍ୟ : ଆଜ ତକ