ଜେଲରେ ବି ଶଶିକଳାଙ୍କ ନିୟମ ଉଲ୍ଲଘଂନ ! ଦୀର୍ଘ ସମୟ ଧରି ଦଳୀୟ ନେତାଙ୍କ ସହ କରୁଛନ୍ତି ଆଲୋଚନା

29

କନକ ବ୍ୟୁରୋ : ଜେଲ ମଧ୍ୟରେ ବି ନିୟମ ଉଲ୍ଲଘଂନ । ଆଉ ଏହି ନିୟମ ଉଲ୍ଲଘଂନ କରିଛନ୍ତି ଜଣେ ଲୋକ ପ୍ରତିନିଧି ଅର୍ଥାତ୍ ଏଆଇଏଡିଏମକେର ନେତା ବିକେ ଶଶିକଳା । ତେବେ ଶଶିକଳା ବେଙ୍ଗାଲୁର ଜେଲରେ ନିୟମ ଭାଙ୍ଗିଥିବାର ଖବର ଏବେ ସାମ୍ନାକୁ ଆସିଛି । ଆପଣ ଜାଣିଲେ ଚକିତ ହେବେ ଶଶିକଳାଙ୍କୁ ଗତ ୩୧ ଦିନ ମଧ୍ୟରେ ପାଖାପାଖି ୨୮ ଜଣ ଭେଟି ସାରିଲେଣି । ଯାହାକି ଜେଲର ନିୟମ ବାହାରେ ।

ଯଦି କର୍ଣ୍ଣାଟକ ଜେଲର ଆଇନ କାନୁନକୁ ନଜର ପକାଯାଏ ତେବେ ଜଣେ କଏଦୀକୁ ୧୫ ଦିନ ମଧ୍ୟରେ କେବଳ ଜଣେ ହିଁ ଭେଟି ପାରିବେ । କିନ୍ତୁ ଶଶିକଳାଙ୍କ ନିକଟରେ ଦେଖାଦେଇଛି ଏହାର ବ୍ୟତିକ୍ରମ । ତାଜା ସୂଚନା ମୁତାବକ, ୧୬ ଫେବୃୟାରୀରୁ ୧୮ ମାର୍ଚ୍ଚ ମଧ୍ୟରେ ଶଶିକଳାଙ୍କୁ ଭେଟିବାକୁ ଆସିଛନ୍ତି ପାଖାପାଖି ୨୮ ଜଣ ବ୍ୟକ୍ତି । ଖାଲି ସେତିକି ନୁହେଁ ଏମାନେ ତାଙ୍କ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିବାର ମଧ୍ୟ ଶୁଣିବାକୁ ମିଳିଛି । ତେବେ ଶଶିକଳାଙ୍କ ଏଭଳି କାର୍ଯ୍ୟ ଆଇନ ଉଲ୍ଲଘଂନ ଅଟେ ।

ତେବେ ଏସଂପର୍କରେ ଜେଲ କତ୍ତୃପକ୍ଷଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ସେତେବେଳେ ସେମାନଙ୍କ ନିକଟରୁ ସେଭଳି କୌଣସି ଉତ୍ତର ମିଳି ନଥିଲା । ମାତ୍ର ନିକଟରେ ଜେଲର ଡିଜି ଶଶିକଳାଙ୍କୁ ଜେଲ ମଧ୍ୟରେ ସେଭଳି କିଛି ସୁବିଧା ଦିଆଯାଇନାହିଁ ବୋଲି ଗଣମାଧ୍ୟମରେ ସୂଚନା ଦେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଶଶିକଳାଙ୍କ ଏଭଳି କାର୍ଯ୍ୟ ପାଇଁ ଦାୟୀ କିଏ ?