ଅଶୋକାଷ୍ଟମୀ ଓ ରାମନବମୀରେ ସାରା ରାଜ୍ୟରେ ଭକ୍ତିମୟ ପରିବେଶ! ଟଣାହେଲା ଲିଙ୍ଗରାଜଙ୍କ ରୁକୁଣା ରଥ

46

କନକ ବ୍ୟୁରୋ : ରଥ ଦାଣ୍ଡରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ହଜାର ହଜାର ଭକ୍ତଙ୍କ ସମାଗମରେ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ରୁକୁଣା ରଥ ରାମେଶ୍ୱର ମନ୍ଦିରରେ ପହଁଚିବା ପରେ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବ । ମଙ୍ଗଳବାର ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇଥିଲା ।

ତା ପରେ ସାଢ଼େ ୫ଟାରୁ ସାଢ଼େ ୬ଟା ଯାଏ ହୋଇଥିଲା ସାହାଣ ମେଲା ଦର୍ଶନ । ସକାଳ ୭ଟାରୁ ୮ଟା ଭିତରେ ଶେଷ ହୋଇଥିଲା ମହାସ୍ନାନ । ଏହାପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଯାତ୍ରାପୂଜା ହୋଇଥିଲ । ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ଯାଏ ପହଁଣ୍ଡି ହୋଇଥିଲା । ମଧ୍ୟାହ୍ନ ୧ଟା ୪୫ରୁ ଅପରାହ୍ନ ୪ଟା ଯାଏ ରଥରେ ପୂଜା କରାଯାଇଥିଲା ।

ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ଗତ ରାତିରେ ରଥରେ ନେତ ବନ୍ଧା ହେବା ସହ ମଧ୍ୟ ରାତ୍ରିରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା । ସପ୍ତମୀ ତିଥିରେ ବିଧି ମୁତାବକ କେଦାର ଗୌରୀ ନିକଟ ମରୀଚି କୁଣ୍ଡ ପାଣି ଆସି ରଥ ପ୍ରତିଷ୍ଠା ହୋଇଥିଲା । ବର୍ଷ ତମାମ ବନ୍ଦ ରହିଥିବା ଏହି କୁଣ୍ଡର ପ୍ରଥମ କଳସ ଜଳରେ ରଥର ପ୍ରତିଷ୍ଠା କରାଯାଇଥିଲା ।