ବିଲରେ ଖତ ଖାଉଛି ବିଲାତି, ବିଧାନସଭାରେ ହଙ୍ଗାମା ! ଟମୋଟାର ଅଭାବି ବ୍ରିକ୍ରିକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

37

କନକ ବ୍ୟୁରୋ : ବିଲରେ ଖତ ଖାଉଛି ବିଲାତି, ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଟମୋଟାର ଅଭାବି ବ୍ରିକ୍ରିକୁ କେନ୍ଦ୍ରକରି ଆଜି ବିଧାନସଭାରେ ଅଚଳାବସ୍ଥା ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ସରକାର ଚାଷୀଙ୍କ ଅଣଦେଖା କରୁଥିବା ଅଭିଯୋଗ କରିବା ସହ ଗୃହର ମଧ୍ୟଭାଗକୁ ଆସି, ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା । ଟମାଟୋ ଚାଷୀ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ଚାଲି ପାରିନଥିଲା । ଗୃହର ସ୍ଥିତି ଦେଖି ବାଚସ୍ପତୀ ଗୃହକୁ ୩ଥର ମୁଲତବୀ କରିଥିଲେ । ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।

କ’ଣ ରହିଛି ଟମାଟୋ ଚାଷୀ ସ୍ଥିତି ? କାହିଁକି ବିଧାନସଭାରେ ହଙ୍ଗମା କରୁଛନ୍ତି ଚାଷୀ ? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ତେବେ ଦେଖନ୍ତୁ କେମିତି ବିତୁଛି ଟମାଟୋ ଚାଷୀଙ୍କ ଜୀବନ । ଚାଷୀର ସ୍ୱପ୍ନ ଯେଉଁଠି ଆରମ୍ଭ ହୋଇଥିଲା, ସେଇଠି ହିଁ ମଉଳି ଯାଇଛି । ଲାଭ କଥା ତ ଦୂରରେ ଥାଉ, ବିଲରେ ହିଁ ବୁଡି ଯାଇଛି ପୁଞ୍ଜି । କ୍ଷେତରେ ହିଁ ଖତ ହୋଇଯାଇଛି ଟମାଟୋ । ବିଲରୁ ବଜାର ଆଣିବା ପାଇଁ ଚାଷୀ ସାହାସ ଜୁଟାଇ ପାରୁନି, କାରଣ ତା’ର ପରିଶ୍ରମର ମୂଲ୍ୟ ଅତି କମ୍ । କିଲୋ ପିଛା ୨ରୁ ୩ ଟଙ୍କାରେ ବିକ୍ରି ହେଉଛି ଟମାଟୋ ।

ଗଂଜାମ ଜିଲ୍ଲା ଗଞ୍ଜା ବ୍ଲକର ତିନୋଟି ପଂଚାୟତରେ ଏଥର ପ୍ରାୟ ୯ଶହ ଏକର ଜମିରେ ଟମାଟୋ ଚାଷ କରିଥିଲେ ଚାଷୀ । ଆଉ ଫେବୃୟାରୀ ଶେଷ ଆଡକୁ ଟମାଟୋର ଚାହିଦା କମିବାରୁ ଏବେ ୨୫ କିଲୋକୁ ଟମାଟୋ ବିକ୍ରି ହେଉଛି ମାତ୍ର ୩୦ରୁ ୪୦ ଟଙ୍କାରେ । ଏଭଳି ସ୍ଥିତିରେ ଚାଷୀ ବିକିବେ କେତେ, ଆଉ ଲାଭ ପାଇବେ କେତେ ?

ଯେଉଁ ସ୍ଥିତି ବ୍ରହ୍ମପୁରରେ ସେଇ ସ୍ଥିତି ସମ୍ବଲପୁରରେ । ଏଠି ବି ଚାଷୀଙ୍କ ସମାନ ଅବସ୍ଥା । ଚାଷୀ, ଲୋଭରେ ଟମାଟୋ ତୋଳି ଘରକୁ ସିନା, ନେଇ ଆସୁଛନ୍ତି ହେଲେ ଅଭାବି ବିକ୍ରି ଯୋଗୁଁ ବାଧ୍ୟ ହୋଇ କିଲୋପିଛା ୨ରୁ ୩ ଟଙ୍କାରେ ବିକ୍ରି କରିବାକୁ ପଡୁଛି । କେବଳ ବ୍ରହ୍ମପୁର କିମ୍ବା ସମ୍ବଲପୁରରେ ବିଲାତି ଚାଷୀଙ୍କ ଏହି ସମସ୍ୟା ନୁହେଁ, ଉଣାଅଧିକେ ସାରା ରାଜ୍ୟରେ ଏଭଳି ସ୍ଥିତି । ବିଧାନସଭାରେ ଚାଷୀଙ୍କ ଦୁଃଖ ନେଇ ନେତା କୁମ୍ଭୀର କାନ୍ଦଣା ସିନା କାନ୍ଦୁଛନ୍ତି, ହେଲେ ପ୍ରକୃତ ଲୁହ ବୋହୁଛି ଚାଷୀ ଆଖିରୁ ।