ରାଜଧାନୀରେ ଦାଦାଗିରି ଦେଖାଇ ଜେଲ ଗଲେ ରାଜ୍ୟ ବାହାରର ଯୁବକ । ଆର୍ମି ପରୀକ୍ଷାରେ ଫେଲ ହେବା ପରେ ରଚିଥିଲେ ଆତଙ୍କରାଜ

2,555

କନକ ବ୍ୟୁରୋ: ସାଙ୍ଘାତିକ ହେଲା ସେନା ପରୀକ୍ଷାର୍ଥୀଙ୍କ ବ୍ୟବହାର । ରାଜ୍ୟ ବାହାରୁ ସେନାରେ ଭର୍ତ୍ତି ପାଇଁ ଆସିଥିବା ଯୁବକଙ୍କ ବିଶୃଙ୍ଖଳାରେ ଅତିଷ୍ଟ ହୋଇ ପଡିଲା କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରେ ଗୁଣ୍ଡାଗିରି କରିବା ସହ ଏମାନେ ଯୁବତୀଙ୍କୁ ଅସଦାଚରଣ ମଧ୍ୟ କରିଛନ୍ତି । ଏହି ଉତ୍ସୃଙ୍ଖଳ ପରୀକ୍ଷାର୍ଥୀଙ୍କ ଯୋଗୁଁ ରେଳଯାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଦୋକାନୀ ପର୍ଯ୍ୟନ୍ତ ଅତିଷ୍ଠ ହୋଇପଡିଛନ୍ତି । ଫଳରେ ରାଜଧାନୀରେ ସୃଷ୍ଟି ହୋଇଥିଲା ବିଷମ ସ୍ଥିତି । ତେଣୁ ଆଗାମୀ ଦିନରେ ଏଭଳି ପରୀକ୍ଷା ଭୁବନେଶ୍ୱରରେ ନକରିବାକୁ ଚିଠି ଲେଖିଛନ୍ତି ପୋଲିସ କମିଶନର ।

ତେବେ ଭୁବନେଶ୍ୱର ରେଳଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ଯାଉଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ସାଧାରଣ ଟିକେଟ ନେଇ ସଂରକ୍ଷିତ ବଗିରେ ବସିବାକୁ ଉଦ୍ୟମ କରିଥିଲେ ଏହି ପରୀକ୍ଷାର୍ଥୀ । ଏପରିକି ରାତି ଅଧରେ ଯାତ୍ରୀଙ୍କୁ ହଇରାଣ କରିବା ସହ ଯାତ୍ରୀଙ୍କ ଲଗେଜ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।
ସେହିପରି ଇନ୍ଦିରା ଗାନ୍ଧୀ ପାର୍କରେ ମଧ୍ୟ ଯୁବତୀଙ୍କୁ କମେଂଟ ମାରିବା ସହ ଅନ୍ୟ ଜଣେ ଯୁବକଙ୍କୁ ରକ୍ତାକ୍ତ ଆକ୍ରମଣ କରିବା ଘଟଣାରେ ୩ ଜଣ ବିହାରୀ ଯୁବକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଭାରତୀୟ ସେନାରେ ସିପାହୀ ପଦ ପାଇ ପରୀକ୍ଷା ଦେବାକୁ ଆସି ଜେଲ ଯାଇଛନ୍ତି ବିହାରୀ ଯୁବକ ।

ତେବେ ଟେରିଟରିଆଲ ଆର୍ମିରେ ନିଯୁକ୍ତି ପାଇଁ ରାଜଧାନୀ ସ୍ଥିତ ୧୨୦ ବାଟାଲିଅନରେ ପରୀକ୍ଷା ହେଉଛି । ଏଥି ପାଇଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ପିଲାଙ୍କ ଭିଡ ଜମୁଛି ଭୁବନେଶ୍ୱରରେ । ଆଉ ସେମାନଙ୍କ ପାଇଁ ସାଧାରଣ ବ୍ୟବସ୍ଥା ବି ହୋଇ ନଥିବା ବେଳେ ରାସ୍ତା କଡରେ ଅତି ଦୟନୀୟ ଭାବେ ରାତି ବିତାଉଥିଲେ ଏହି ପରୀକ୍ଷାର୍ଥୀ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସେମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ଯୋଗାଇବା ପାଇଁ ବିଏମସି ଓ କମିଶନରେଟ ପୋଲିସ ପଦକ୍ଷେପ ନେଇଥିଲା ।

ତେବେ ଭୁବନେଶ୍ୱର ପରି ଏକ ସମ୍ବେଦନଶୀଳ ସହରରେ ଏଭଳି ଅନିୟନ୍ତ୍ରିତ ଭିଡକୁ ନେଇ ଚିନ୍ତିତ ଥିବା କମିଶନରେଟ ପୋଲିସ ରାଜଧାନୀରେ ଆଗକୁ ଏ ଧରଣର ପରୀକ୍ଷା ନକରିବାକୁ ୧୨୦ ବାଟାଲିଅନ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି ପୋଲିସ କମିଶନର ।