ବିଧାନସଭା ଗୃହକାର୍ଯ୍ୟ ଆରମ୍ଭରୁ ହଙ୍ଗାମା : ଜୟନାରାୟଣ ମିଶ୍ରଙ୍କ ଗିରଫକୁ ନେଇ ଗୃହରେ ବିଜେପିର ହଟ୍ଟଗୋଳ

24

କନକ ବ୍ୟୁରୋ : ବିଧାନସଭା ଆରମ୍ଭରୁ ହଙ୍ଗାମା । ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଦ୍ୱିତୀୟ ଦିନରେ ବିଜେପି ସଭ୍ୟମାନେ ହଟ୍ଟଗୋଳ କରିଛି । ଫଳରେ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମ୍ବଲପୁରରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରତିବାଦରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ବିଜେପି ଅଭିଯୋଗ କରିଛି, ପୋଲିସ ଶାସକ ଦଳର ହାତବାରିସି ସାଜିଛି । ଏହି ପ୍ରସଙ୍ଗରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା ଓ ନାରାବାଜି କରଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ।

ସେପଟେ ଚର୍ଚ୍ଚାରେ କଂଗ୍ରେସ ରାଜନୀତି । ଆଜି ବିଧାନସଭାରେ ବସିଛି କଂଗ୍ରେସ ବିଧାୟକଙ୍କ ରୁଦ୍ଧଦ୍ୱାର ବୈଠକ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ଏହି ବୈଠକ ବସିଥିଲା । ଏଥିରେ କଣ ଆଲୋଚନା ହେଲା ସେ ନେଇ କିଛି ସ୍ପଷ୍ଟ ହୋଇନଥିଲେ ବି ଅଳ୍ପଦିନ ମଧ୍ୟରେ କଣ ପାଇଁ ଦ୍ୱିତୀୟ ଥର ବୈଠକ ବସିଲା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଗକୁ ବିଧାୟକଙ୍କ କି ରଣନୀତି ହେବ ସେ ନେଇ ବି ଚର୍ଚା ଚାଲିଛି । ପିସିସି ସଭାପତ ପଦକୁ ନେଇ କିଛି ଦିନ ଧରି ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଛି । ଗତ ସପ୍ତାହରେ ଏଆଇସିସି ସଭ୍ୟ ପଦରୁ ୯ ଜଣ ବିଧାୟକ ବାଦ ପଡିବା ପରେ ରାଜନୀତି ଆରମ୍ଭ ହୋଇଥିଲା । ଦଳର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡି ବୟାନବାଜି ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ କଂଗ୍ରେସର ରୁଦ୍ଧଦ୍ୱାର ବୈଠକକୁ ବେଶ ଗୁରୁତ୍ୱ ଦିଆଯାଉଛି ।