ଫ୍ଲିପକାର୍ଟକୁ ୱାଲମାର୍ଟ କିଣିବା ଘଟଣାକୁ ଆରଏସଏସର ବିରୋଧ: କହିଲା ଅଧିଗ୍ରହଣ ଅନୈତିକ ଓ ରାଷ୍ଟ୍ରହିତ ବିରୋଧୀ, ଲକ୍ଷେ କୋଟି ଟଙ୍କାରେ ଫ୍ଲିପକାର୍ଟକୁ କିଣିଛି ଆମେରିକୀୟ କମ୍ପାନୀ

40

କନକ ବ୍ୟୁରୋ : ବିକ୍ରି ହେଲା ଫ୍ଲିପକାର୍ଟ । ଅନ୍ୟପଟେ ଏହି ବ୍ୟାବସାୟିକ ଡିଲକୁ ବିରୋଧ କରିଛି ଆରଏସଏସ ସମର୍ଥିତ ସ୍ୱଦେଶୀ ଜାଗରଣ ମଂଚ । ଏନେଇ ମଂଚ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖାଯିବା ସହ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଫ୍ଲିପକାର୍ଟ ଅଧିଗ୍ରହଣ ବେଳେ ପ୍ରଚଳିତ ଆଇନର ଉଲ୍ଲଂଘନ କରାଯାଇଥିବା ମଂଚ ଚିଠିରେ ଦାବି କରିଛି । ଭାରତୀୟ ବଜାରରେ ଆଧିପତ୍ୟ ବିସ୍ତାର କରିବାକୁ ୱାଲମାର୍ଟ ଫ୍ଲିପକାର୍ଟକୁ ମାଧ୍ୟମ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହି ଅଧିଗ୍ରହଣ ଅନୈତିକ ଓ ରାଷ୍ଟ୍ରହିତ ବିରୋଧୀ ବୋଲି ସ୍ୱଦେଶୀ ଜାଗରଣ ମଂଚ କହିଛି । ମଲ୍ଟି ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜିନିବେଶ ରୋଜଗାର ସୃଷ୍ଟି କରୁଥିବା ସୁଯୋଗକୁ ପ୍ରଭାବିତ କରିବ ଓ ଏହା କୃଷକବିରୋଧୀ ବୋଲି ଚିଠିରେ ଉଲ୍ଲେଖ କରିଛି ମଂଚ । ସ୍ୱଦେଶୀ ଜାଗରଣ ମକ୍ଟକ୍ଟ୍ରର ସହ ସଂଯୋଜକ ଅଶ୍ୱିନୀ ମହାଜନ ଏହି ଡିଲ୍ ବାତିଲ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଫ୍ଲିପକାର୍ଟ ଅଧିଗ୍ରହଣକୁ ସିପିଏମ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି ।

ସୂଚନାଯୋଗ୍ୟ, ବିିଶ୍ୱର ସବୁଠାରୁ ବଡ କଂପାନୀ ୱାଲମାର୍ଟ, ଇ-ରିଟେଲ ଦିଗଜ ଫ୍ଲିପକାର୍ଟକୁ କିଣିଛି । ୧ ଲକ୍ଷ ୭ ହଜାର ୨୦୦ କୋଟି ଟଙ୍କାରେ ଫ୍ଲିପକାର୍ଟ ଓ ୱାଲମାର୍ଟ ମଧ୍ୟରେ ଡିଲ ହୋଇଥିବା ଚର୍ଚ୍ଚା ହେଉଛି । ଇ-ରିଟେଲ ବା ଅନଲାଇନ ସପିଂରେ ଦେଶର ଅନ୍ୟତମ ବଡ କମ୍ପାନି ଫ୍ଲିପକାର୍ଟ ସହ ବିଶ୍ୱର ସବୁଠାରୁ ବଡ ସଂସ୍ଥା ୱାଲମାର୍ଟର ଡିଲ ବଜାରରେ ହଲଚଲ ସୃଷ୍ଟି କରିଛି । ଇଂଟରନେଟରେ ବହି ବିକ୍ରିରୁ ଆରମ୍ଭ ହୋଇଥିବା ଫ୍ଲିପକାର୍ଟ ସଂସ୍ଥା ୧୧ ବର୍ଷର ଯାତ୍ରାରେ ବିରାଟ ଷ୍ଟାର୍ଟଅପ ସକ୍ସେସ ଷ୍ଟୋରୀ ତିଆରି କରିଛି । ଯାହାକୁ ସବୁଠାରୁ ବଡ ଇ-କମର୍ସ ଡିଲ ବୋଲି କୁହାଯାଉଛି । ଘୋଷଣା ଅନୁସାରେ, ୱାଲମାର୍ଟ ଫ୍ଲିପକାର୍ଟର ୭୭% ଅଂଶଧନ କିଣିଛି । ଭାରତୀୟ ଇ-କମର୍ସ ଇତିହାସରେ ଏହା ସବୁଠାରୁ ବଡ ଡିଲ ବୋଲି ବିବେଚନା କରାଯାଉଛି । ଫ୍ଲିପକାର୍ଟ ସହ ଡିଲ ପରେ ଭାରତରେ ବଡ ମଲଟି ନ୍ୟାସନାଲ କଂପାନୀ ଭାବେ ୱାଲମାର୍ଟ ଖ୍ୟାତି ହାସଲ କରିବାକୁ ଯାଉଛି । ୱାଲମାର୍ଟ ୪୩ ହଜାର ୭୦୦ କୋଟିର ବ୍ୟବସାୟ କରୁଥିଲା ଏବେ ଏହା ୬୭ ହଜାର କୋଟି ଟପିଛି । ୨୦୦୭ରେ ୧୧ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା ଫ୍ଲିପକାର୍ଟ । ଚଣ୍ଡୀଗଡର ସଚିନ ବଂଶଲ ଓ ବିନ୍ନି ବଂଶଲ ଦୁଇ ସାଙ୍ଗ ମିଶି ଆରମ୍ଭ କରିଥିଲେ ଫ୍ଲିପକାର୍ଟ ।