ଓଡ଼ିଶା ପାଇଁ ନୂଆ ସଂଭାବନା ଓ ନୂଆ ସୁଯୋଗ । ମେକ୍ ଇନ୍ ଓଡିଶାରେ ଲକ୍ଷ୍ୟଠାରୁ ଦେଢ଼ଗୁଣା ପୁଂଜି ନିବେଶ ପ୍ରସ୍ତାବ

୪ଲକ୍ଷ ୧୯ ହଜାର ୫୭୪ କୋଟିର ପ୍ରସ୍ତାବ, ପ୍ରାୟ ୬ ଲକ୍ଷ ନିଯୁକ୍ତି ସମ୍ଭାବନା

84

କନକ ବ୍ୟୁରୋ : ସଫଳ ହୋଇଛି ମେକ୍ ଇନ୍ ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଚଳିତ ବର୍ଷର କନ୍କ୍ଲେଭ ରେକର୍ଡ କରିଛି । ଏଥିରେ ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଂଜି ନିବେଶର ପ୍ରସ୍ତାବ ଆସିଛି । ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ଫଳରେ ୫ ଲକ୍ଷ ୯୧ ହଜାର ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଦେଶର ବଡ ବଡ ଶିଳ୍ପପତି ଏବଂ ୧୯ଟି ଦେଶର ପ୍ରତିନିଧି ଯୋଗ ଦେଇଥିଲେ । ଅନ୍ୟପଟେ ଜାପାନ କାର୍ଯ୍ୟକ୍ରମର ସହଯୋଗୀ ରାଷ୍ଟ୍ର ଭାବେ ସାମିଲ ହୋଇଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟରେ ଦକ୍ଷତା ବିକାଶ ହେଉଥିବା ବେଳେ ଆଗାମୀ ଦିନରେ ଏହା ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ବୋଲି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଚଳିତ କନ୍କ୍ଲେଭରେ ଶ୍ରେଷ୍ଠ ନିବେଶକାରୀ ହେଉଛି, ହଲ୍ଦିଆ ପେଟ୍ରୋ କେମିକାଲ । ଏହି ସଂସ୍ଥା ୭୦ ହଜାର କୋଟି ନିବେଶ କରିବା ସମ୍ଭାବନା ରହିଛି । ଜେଏସପିଏଲ ମୋଟ ୬୦ ହଜାର ୯୫୦ କୋଟି ଟଙ୍କା, ମହାନଦୀ କୋଲଡ ଫିଲ୍ଡ ଲିମିଟେଡ ୫୮ହଜାର ୯୯୭ କୋଟି ଟଙ୍କା ଓଡିଶାରେ ପୁଂଜି ନିବେଶ କରିବା ପାଇଁ ଘୋଷଣା କରିଛନ୍ତି । ତାଇୱାନ୍ର ଏକ କମ୍ପାନୀ ୪୩ ହଜାର କୋଟି ଏବଂ ସେଲ୍ ୪୧ ହଜାର ୪୦୦ କୋଟି ଟଙ୍କା ନିବେଶ କରିବା ନେଇ ପ୍ରସ୍ତାବ ଦେଇଥିବା ଜଣାପଡିଛି ।

କେଉଁ କ୍ଷେତ୍ର ପାଇଁ କେତେ ପ୍ରସ୍ତାବ ଆସିଛି ଓ କେତେ ଟଙ୍କା ନିବେଶ ହେବ?

• ଖଣିଜ, ଧାତୁ ଓ ଆନୁସାଙ୍ଗିକ କ୍ଷେତ୍ରରେ୫୩ଟି ପ୍ରସ୍ତାବରେ ୨ଲକ୍ଷ ୩୬ହଜାର ୪୩୫ କୋଟି ଟଙ୍କା ନିବେଶ ହେବ ।

• ସେହିପରି ସାର, ରିଫାଇନାରି, ପେଟ୍ରୋକେମିକାଲ୍ସ, ରସାୟନ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୩୭ଟି ପ୍ରସ୍ତାବ ଦ୍ୱାରା ୧ଲକ୍ଷ ୩୫ହଜାର ୩୦୯କୋଟି ନିବେଶ ହେବ ।

• ଲଜିଷ୍ଟିକ ଓ ଭିତିଭୂମି ପାଇଁ ୧୨ଟି ପ୍ରସ୍ତାବ ଦ୍ୱାରା ୧୯ହଜାର ୧୨୪କୋଟି ନିବେଶ ହେବ ।

• ଶିଳ୍ପ ପାର୍କ ପାଇଁ ୮ହଜାର ୪୩୨କୋଟି ନିବେଶ କରିବା ପାଇଁ ଘୋଷଣା କରାଯାଇଛି ।

• କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ୩୦ଟି ପ୍ରସ୍ତାବରେ ୫ହଜାର ୨୨୫କୋଟି ଟଙ୍କା ନିବେଶ ହେବାର ସୁଯୋଗ ରହିଛି ।

• ସେହିପରି ୬ଟି ପ୍ରସ୍ତାବରେ ଆଇଟି ଓ ଇଏସଡିଏମ କ୍ଷେତ୍ରରେ ୩ହଜାର ୯୧୮କୋଟି ନିବେଶ ହେବ ।

• ୩ଟି ପ୍ରସ୍ତାବରେ ଗ୍ଲାସ କ୍ଷେତ୍ରରେ ୩ହଜାର ୩୦୦କୋଟି ନିବେଶ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

• ଏହାସହ ସ୍ୱାସ୍ଥ୍ୟସେବା ପାଇଁ ୩ଟି ପ୍ରସ୍ତାବ ଦ୍ୱାରା ୨ହଜାର ୯୧୪କୋଟି ନିବେଶ ହେବ ।

• ଶକ୍ତି ଓ ଅକ୍ଷୟ ଶକ୍ତି ପାଇଁ ୪ଟି ପ୍ରସ୍ତାବରେ ୨ହଜାର ୨୫କୋଟି ଓ ପ୍ରତିରକ୍ଷା କ୍ଷେତ୍ରରେ ଗୋଟିଏ ପ୍ରସ୍ତାବରେ ୧ହଜାର ୬୫୦କୋଟି ନିବେଶ ହେବା ପାଇଁ ମେକ୍ ଇନ୍ ଓଡ଼ିଶାରେ ସମ୍ଭାବନା ସୃଷ୍ଟି ହୋଇଛି ।

• ୧୭ଟି ପ୍ରସ୍ତାବରେ ବୟନ ଓ ପୋଷାକ କ୍ଷେତ୍ରରେ ୫୮୯କୋଟି ନିବେଶ ହେବ । ୫ଟି ପ୍ରସ୍ତାବରେ ପର୍ଯ୍ୟଟନ କ୍ଷେତ୍ରରେ ୨୮୪କୋଟି ନିବେଶ ହେବ ।

• ବିଦ୍ୟୁତଯାନ କ୍ଷେତ୍ରରେ ୪ଟି ପ୍ରସ୍ତାବରେ ୨୦୨କୋଟି ନିବେଶ ହେବ । ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଗୋଟିଏ ପ୍ରସ୍ତାବରେ ୧୧୦କୋଟି ନିବେଶ ହେବ ।

• ସେହିପରି ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେଗୋଟିଏ ପ୍ରସ୍ତାବରେ ୫୨କୋଟି ଟଙ୍କା ନିବେଶ ହେବ ।