ବ୍ୟାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି କ୍ୟାସଲେସ୍ କାରବାର : ଏସବିଆଇ

23

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମିତ ଭାବରେ କ୍ୟାସଲେସ୍‌ କାରବାରକୁ ଗୁରୁତ୍ୱ ଦେଉଥିବା ବେଳେ, ଏହା ବ୍ୟାଙ୍କ ଗୁଡ଼ିକ ପାଇଁ ବୋଝ ପାଲଟିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ରିପୋର୍ଟ ଅନୁସାରେ ଡିଜିଟାଲ ନେଣଦେଣ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ବାର୍ଷିକ ୩୮୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ।

ବିମୁଦ୍ରାକରଣ ପରେ ବ୍ୟାଙ୍କ ନିୟମିତ ଭାବରେ କ୍ୟାସଲେସ୍‌ କାରବାର ପାଇଁ ପଏଣ୍ଟ ଅଫ୍‌ ସେଲ(ପିଓଏସ୍‌) ଟର୍ମିନାଲ ଓ ମେସିନ ସଂଖ୍ୟା ବଢ଼ାଇବାରେ ଲାଗିପଡ଼ିଛି । ୨୦୧୬ ମାର୍ଚ୍ଚରେ ବ୍ୟାଙ୍କଗୁଡ଼ିକରେ ୧୩.୮ ଲକ୍ଷ ପିଓଏସ ଟିର୍ମନାଲ୍‌ସ ଲଗାଯାଇଥିଲା । ବିମୁଦ୍ରାକରଣ ପରେ ଏହି ସଂଖ୍ୟା ବହୁତ ବଢ଼ିଛି । ୨୦୧୭ ଜୁଲାଇ ପର୍ଯ୍ୟନ୍ତ ୨୮.୪ ଲକ୍ଷ ପିଓଏସ ଟର୍ମିନାଲ୍‌ସ ଲଗାଯାଇଛି । ଏହି ହିସାବରେ ୫୦୦୦ ପିଓଏସ୍‌ ଟର୍ମିନାଲ୍‌ସ ପ୍ରତ୍ୟେକ ଦିନ ଲାଗୁଛି ।

ମୋଦି ସରକାରଙ୍କ ଡିଜିଟାଲ ପେମେଣ୍ଟ ଅଭିଯାନକୁ ନିଶ୍ଚିତ ଭାବରେ ସଫଳତା ମିଳିଛି । ଏସବିଆଇ ରିପୋର୍ଟ ଅନୁସାରେ ନୋଟବନ୍ଦୀ ପରେ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ନେଣଦେଣ ମଧ୍ୟ ବଢ଼ିଛି । ୨୦୧୬ ଅକ୍ଟୋବରରେ ଯାହା ୫୧,୯୦୦ କୋଟି ଟଙ୍କା ଥିଲା, ୨୦୧୭ ଜୁଲାଇରେ ତାହା ୬୮,୫୦୦ କୋଟି ହୋଇ ଯାଇଛି । ଏହା ବ୍ୟତୀତ ୨୦୧୬ ଡିସେମ୍ବରରେ ସବୁଠାରୁ ଅଧିକ ୮୯,୨୦୦ କୋଟି କ୍ୟାସଲେସ ନେଣଦେଣ ହେଇଛି ।