ଟଙ୍କା ନେଇ ଖସିଗଲେ ! ଖୋଲୁଛି ୧୧ଶହ କୋଟି ଦୁର୍ନୀତିର ପେଡି, ସନ୍ଦେହ ଘରେ ନିଗମ କର୍ମଚାରୀଙ୍କ ଭୂମିକା

31

କନକ ବ୍ୟୁରୋ : ଓଡିଶା ଗ୍ରାମୀଣ ଗୃହ ଉନ୍ନୟନ କର୍ପୋରେସନରୁ ଋଣ ନେଇ ୧୧୦୦ କୋଟି ଟଙ୍କାର ଘୋଟାଲା କରିଥିବା ଘଟଣା ଧୀର ଧୀରେ ସନ୍ଦେହ ଘେରକୁ ଟାଣି ହୋଇଯାଇଛି । ଏହି ଘୋଟାଲା ପଛରେ କିଏ ଅଛି ଏବଂ କାହାର ପ୍ରୋରଚନାରେ ଏତେ ବଡ ଦୁର୍ନୀତି ସମ୍ଭବ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ଦରମାରୁ ମାସିକ କିସ୍ତିରେ ଋଣ ସୁଝିବା ସୁଯୋଗ ପାଇ ବିଭିନ୍ନ ସରକାରୀ ବିଭାଗର ହଜାର ହଜାର ସଂଖ୍ୟାରେ କର୍ମଚାରୀ ଉଠାଇଲେ ଫାଇଦା । କିନ୍ତୁ କିଛି ମାସ ଇଏମଆଇ କଟିବା ପରେ ବିଭାଗୀୟ ଅଧିକାରୀ ଭୂଲି ଗଲେ ସର୍ତ୍ତ । କର୍ମଚାରୀଙ୍କ ବାକି ଥିବା ଅଳ୍ପ କିଛି କିଛି ଟଙ୍କାର ସୁଧ ପରିମାଣ ବଢି ବଢି ବର୍ତ୍ତମାନ କୋଟି କୋଟି ଟଙ୍କାର ବକେୟା ଭାବେ ପଡିରହିଛି ।

ଏପଟେ ବିଭିନ୍ନ ବିଭାଗକୁ ଚିଠି ଲେଖି ହାତ ଉପରେ ହାତ ଧରି ବସିଛନ୍ତି ନିଗମ ଅଧିକାରୀ । ବିଭିନ୍ନ ସ୍କିମରେ ହୋଇଥିବା ୧୧୦୦ କୋଟି ଟଙ୍କାର ଏହି ଦୁର୍ନୀତିରେ ସବୁଠାରୁ ଅଧିକା ଋଣ ଦିଆଯାଇଛି କ୍ରେଡିଟ ଲିଙ୍କ ହାଉସିଙ୍ଗ ସ୍କିମରେ । ଏହି ଯୋଜନାରେ ୯୯ ମହାବାତ୍ୟା କ୍ଷତିଗ୍ରସ୍ତ ଏକ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଦିଆଯାଇଛି ପ୍ରାୟ ୩ଶହ କୋଟି ଟଙ୍କା । କିନ୍ତୁ ଏହା ଆଦାୟ ହୋଇପାରୁନଥିବାରୁ ଋଣକୁ ଛାଡ କରିବା ପାଇଁ ସରକାରଙ୍କୁ ଅନୁରୋଧ ମଧ୍ୟ କରିଛି ନିଗମ ।

ନିଗମ ପକ୍ଷରୁ ଦିଆଯାଇଥିବା ୬ଟି ସ୍କିମରୁ ୩ଟିରେ ବ୍ୟାପକ ହେରାଫେରି ଅଭିଯୋଗରେ ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତେଣୁ ଏହି ୧୧୦୦ କୋଟି ଋଣ ଘୋଟାଲାର ଖଳନାୟକ କିଏ ତାହା ତଦନ୍ତ ସାପେକ୍ଷ ।