ପଞ୍ଚାୟତ ପାଇଁ ମାନଦଣ୍ଡ ! ବ୍ୟାଙ୍କରେ ୧୦ ହଜାର ଥିଲେ କୁହାଯିବନି ଗରିବ

49

କନକ ବ୍ୟୁରୋ: ଗ୍ରାମପଞ୍ଚାୟତରେ ଗରିବ ଲୋକଙ୍କ ସଂଖ୍ୟା ଆକଳନ ପାଇଁ ଯୋଜନା ଚଳାଇଛନ୍ତି । ଏଥିପାଇଁ କେତୋଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଏହି ମାନଦଣ୍ଡ ଗୁଡ଼ିକ ମଧ୍ୟରେ ପରିବାରର ବ୍ୟାଙ୍କ ଜମାକୁ ବିବେଚନାକୁ ନିଆଯିବ । ଯେଉଁ ପରିବାରର ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ୧୦ ହଜାର ଟଙ୍କା ରହିଛି ସେମାନଙ୍କୁ ଗରିବ ଭାବେ ବିବେଚନା କରାଯିବ ନାହିଁ । ସରକାର ଗରିବ ମାପିବା ପାଇଁ ଯେଉଁ ସୂଚୀ ପ୍ରସ୍ତୁତ କରିବେ ସେଥିରେ ଯେଉଁ ପଞ୍ଚାୟତରେ ଅଧିକ ସଂଖ୍ୟକ ପରିବାରର ବ୍ୟାଙ୍କ ଖାତାରେ ୧୦ ହଜାର ଟଙ୍କା ରହିଛି ସେହି ପଞ୍ଚାୟତ ଗୁଡ଼ିକୁ ଏହି ସୂଚୀରେ ଉତ୍ତମ ସ୍ଥାନ ଦେବେ । କେବଳ ଜମା ନୁହେଁ, ଜୀବୀକାରେ ବିବିଧତା ଆଣିବା ପାଇଁ ଯେଉଁ ପଞ୍ଚାୟତରେ ଅଧିକ ଲୋକ ଋଣ ନେଇଛନ୍ତି ସେଗୁଡ଼ିକୁ ମଧ୍ୟ ଉକ୍ତ ସୂଚୀରେ ଉତ୍ତମ ସ୍ଥାନ ମିଳିବ ।

ଏତଦବ୍ୟତୀତ ଯେଉଁ ପଞ୍ଚାୟତରେ ଅଧିକ ସଂଖ୍ୟକ ମହିଳା ଚାକିରି କରିଛନ୍ତି କିମ୍ବା ଆତ୍ମନିଯୁକ୍ତ ଅଛନ୍ତି ଦାରିଦ୍ର୍ୟ ସୂଚୀରେ ସେହି ପଞ୍ଚାୟତର ସ୍ଥିତି ଭଲ ରହିବ । ସେହିଭଳି କେତେ ସଂଖ୍ୟକ ପରିବାରରେ ଏଲପିଜି ସଂଯୋଗ ରହିଛି ବା କେତେ ପରିବାର ଦିନକୁ ୧୨ ଘଣ୍ଟା ବିଜୁଳି ସୁଯୋଗ ପାଉଛନ୍ତି ତାହାକୁ ମଧ୍ୟ ଦାରିଦ୍ର୍ୟ ସୂଚୀ ମାପ ପାଇଁ ବିଚାରକୁ ନିଆଯିବ । ମିସନ ଅନ୍ତ୍ୟୋଦୟ ଅଧୀନରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗ୍ରାମପଞ୍ଚାୟତ ଗୁଡ଼ିକର ସ୍ଥିତି ମାପିବା ପାଇଁ ୨୧ଟି ମାପଦଣ୍ଡ ପ୍ରସ୍ତୁତ କରିଥିବା କୁହାଯାଉଛି । ଦେଶରେ ୫୦ ହଜାର ଦାରିଦ୍ର୍ୟମୁକ୍ତ ପଞ୍ଚାୟତ ସୃଷ୍ଟି କରିବା ପାଇଁ ଏହି ନୂଆ ସ୍କିମ୍ ପ୍ରସ୍ତୁତ ହେଉଛି ।

ବ୍ୟାଙ୍କରେ ଜମାରାଶି କେତେ ରହିଲେ ଜଣକୁ ଗରିବ ଭାବେ ବିବେଚନା କରାଯିବ ନାହିଁ ତାହା ଉପରେ ସରକାରଙ୍କ ପକ୍ଷରୁ ବିଚାରବିମର୍ଶ ଗତ କିଛିମାସ ହେଲା ଚାଲିଛି । ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପ୍ରଥମେ ଏହି ଜମା ପରିମାଣକୁ ୨୦ ହଜାରରେ ରଖିବା ଉପରେ ମଧ୍ୟ ବିଚାର କରିଥିଲା । ଗ୍ରାମପଞ୍ଚାୟତ ଗୁଡ଼ିକର ଅଗ୍ରଗତିକୁ ମାପିବା ପାଇଁ ଲୋକମାନେ କେତେ ସଂଖ୍ୟାରେ ଅଣକୃଷି କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଚାକିରି କରିଛନ୍ତି ତାହା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି ।