ରାଜାଘରର ବାହାଘର ଦେଖିଲା ସାରା ବିଶ୍ୱ ! ଇଂଲଣ୍ଡ ରାଜକୁମାର ପ୍ରିନ୍ସ ହ୍ୟାରି ଧରିଲେ ହଲିଉଡ୍ ଅଭିନେତ୍ରୀ ମେଗାନ୍ ମର୍କେଲଙ୍କ ହାତ ।

18

କନକ ବ୍ୟୁରୋ : ହଲିଉଡ୍ ଅଭିନେତ୍ରୀ ମେଗାନ୍ ମର୍କେଲଙ୍କୁ ବିବାହ କଲେ ପ୍ରିନ୍ସ ହ୍ୟାରୀ  । ବ୍ରିଟେନର ଏହି ରାଜକୀୟ ବିବାହକୁ ଦୁଇ ଶହ କୋଟିରୁ ଅଧିକ ଦର୍ଶକ ଟେଲିଭିଜନ୍ ଜରିଆରେ ଦେଖିଥିବା ଜଣାପଡ଼ିଛି । ବିବାହ ପାଇଁ ୱିଣ୍ଡସର କ୍ୟାସଲ୍ ଲୋକାରଣ୍ୟ ହୋଇପଡ଼ିଥିବା ବେଳେ ବିବାହୋତ୍ସବରେ ଯୋଗ ଦେଇଛନ୍ତି ଡେଭିଡ୍ ବେକହାମ୍, ଜର୍ଜ କ୍ଲୁନି, ଓପ୍ରା ୱିନଫ୍ରେ ଓ ପ୍ରିୟଙ୍କା ଚୋପ୍ରାଙ୍କ ପରି ପରିଚିତ ତାରକା ।

ପରସ୍ପରର ହାତ ଧରିଛନ୍ତି ପ୍ରିନ୍ସ ହ୍ୟାରୀ ଓ ମେଗାନ୍ ମର୍କେଲ୍ । ୧୫ଶହ ଶତାବ୍ଦୀରେ ନିର୍ମିତ ୱିଣ୍ଡସର କ୍ୟାସଲର ସେଣ୍ଟ ଜର୍ଜ ଚାପେଲ୍ ଚର୍ଚ୍ଚରେ ଏହି ବହୁଚର୍ଚ୍ଚିତ ବିବାହ ଅନୁଷ୍ଠିତ ହୋଇଛି  । ବିଶ୍ୱର ମାନ୍ୟଗଣ୍ୟ ଅତିଥିଙ୍କ ମଧ୍ୟରେ ଭାରତୀୟ ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଯୁବଦ୍ୟୋଗୀ ରୋଜି ଗିଣ୍ଡେ ତଥା ମୁମ୍ବାଇ ବସ୍ତି ଅଞ୍ଚଳରେ କାମ କରୁଥିବା ସୁହାନୀ ଜଲୋଟା, ଅର୍ଚ୍ଚନା ଆମ୍ବ୍ରେ ଓ ଦେବୋରାହ ଦାସ ଯୋଗ ଦେଇଛନ୍ତି  । ବିବାହ ନେଇ ମୁମ୍ବାଇର ଡବାବାଲା ଖୁସି ଜାହିର କରିବା ସହ ଦମ୍ପତ୍ତିଙ୍କ ପାଇଁ ଉପହାର ପଠାଇଛନ୍ତି ।

ଏହି ବହୁଚର୍ଚ୍ଚିତ ବିବାହରେ ଅନେକ ପୁରୁଣା ପ୍ରଥା ଭାଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି  ।

୧. ପୂର୍ବରୁ ହୋଇଥିବା ବିବାହରେ ନବବିବାହିତାଙ୍କ ପୋଷାକ ଖର୍ଚ୍ଚ ରାଜପରିବାର ଦେଉଥିବା ବେଳେ ଚଳିତଥର ମେଗାନ୍ ମର୍କେଲ୍ ନିଜ ପୋଷାକ ଖର୍ଚ୍ଚ ନିଜେ ଉଠାଇଛନ୍ତି

୨. ବିବାହ ପାଇଁ ୩ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ

୩. ପ୍ରଥମ ଥର ପାଇଁ ନବବିବାହିତା ଭାବେ ମେଗାନଙ୍କ ବିବାହ ପରେ ଅଭିଭାଷଣ

୪. ମେଗାନଙ୍କୁ ପିତା ଅସୁସ୍ଥ ଥିବାରୁ ଶ୍ୱଶୁର ପ୍ରିନ୍ସ ଚାଲର୍ସଙ୍କ କନ୍ୟାପିତା ଦାୟିତ୍ୱ

୫. ୨୬୪୦ ନିମନ୍ତ୍ରିତ ଅତିଥି, ୧୨୦୦ ସାଧାରଣ ନାଗରିକ, ୨୦୦ ବେସରକାରୀ ସଙ୍ଗଠନ, ୧୦୦ରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ବିବାହରେ ଯୋଗଦାନ

୬. ବିବାହ ପୂର୍ବରୁ ହ୍ୟାରୀ ଓ ମେଗାନଙ୍କୁ ଡ୍ୟୁକ୍ ଓ ଡଚେସ୍ ଅଫ୍ ସସେକ୍ସ ଉପାଧି ପ୍ରଦାନ

୧୩ ବର୍ଷ ପୂର୍ବେ ଯେଉଁ ସ୍ଥାନରେ ହ୍ୟାରୀଙ୍କ ପିତା ଡାଏନାଙ୍କୁ ବିବାହ କରିଥିଲେ ଠିକ ସେହି ସ୍ଥାନରେ ମେଗାନ୍ ମର୍କେଲଙ୍କ ହାତ ଧରିଛନ୍ତି ପ୍ରିନ୍ସ ହ୍ୟାରୀ  । ତେବେ ଆଜିର ଏହି ବିବାହ ପଛରେ ରହିଛି ଏକ ରୋଚକ ପ୍ରେମକାହାଣୀ । ୨୦୧୬ ମସିହାରେ ଏକ ବନ୍ଧୁଙ୍କ ଘରେ ପରସ୍ପରକୁ ଭେଟିଥିଲେ ପ୍ରିନ୍ସ ହ୍ୟାରୀ ଓ ମେଗାନ୍ ମର୍କେଲ୍ । ପୂର୍ବରୁ ବିବାହ ବିଚ୍ଛେଦର ଶିକାର ହୋଇଥିବା ମର୍କେଲଙ୍କୁ ଚିକେନ୍ ରୋଷେଇ କରୁ ଥିବା ସମୟରେ ୨ୟ ବିବାହ ପାଇଁ ହ୍ୟାରୀ ପ୍ରସ୍ତାବ ଦେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା  । ତେବେ  ଆଜି ଶେଷ ହୋଇଛି ପ୍ରିନ୍ସ ହ୍ୟାରୀ-ମେଗାନ୍ ମର୍କେଲଙ୍କ ବିବାହ ଓ ବ୍ରିଟେନରେ ଖେଳିଯାଇଛି ଖୁସିର ଲହରି  ।