ବଲାଙ୍ଗିର ରାଜକୁମାରଙ୍କ ହେଲା ଦିଲ୍ଲୀରେ ବାହାଘର : ସାଂସଦ ଏୟୁ ସିଂହଦେଓଙ୍କ ପୁଅ ଅର୍କେଶ ସିଂହଦେଓଙ୍କ ବାହାଘରକୁ ନେଇ ଚର୍ଚ୍ଚା

44

କନକ ବ୍ୟୁରୋ : ସମୟ ବଦଳିଛି, ବଦଳିଛି ଆମ ବ୍ୟବସ୍ଥା । ହେଲେ କିଛି ପରମ୍ପରା ଆଜିର ଦିନରେ ବି ସେମିତି ଅତୁଟ ରହିଛି । ଆମେ କହୁଛୁ- ରାଜାଘର ବାହାଘରର କଥା । ବଲାଙ୍ଗୀର ରାଜ ପରିବାରର ଦାୟାଦ ତଥା ଯୁବ ବିଜେଡି ନେତା ଅର୍କେଶ ନାରାୟଣ ସିଂହଦେଓ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି । ଉତ୍ତରପ୍ରଦେଶର ମାଣ୍ଡାର ରାଜକୁମାରୀ ଅଦ୍ରିଜା ମାଣ୍ଡରାଙ୍କୁ ବାଛିଛନ୍ତି ଜୀବନ ସାଥି ଭାବେ । ସଂପୂର୍ଣ୍ଣ ରାଜକୀୟ ପରମ୍ପରାରେ ଅନୁଷ୍ଠିତ ହୋଇଥିବା ଏହି ବାହାଘରକୁ ନେଇ ଏବେ ବଲାଙ୍ଗୀରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ।

ରାଜା ନାହାଁନ୍ତି କି ରାଜୁଡ଼ା ନାହିଁ । କିନ୍ତୁ ଏବେ ବି ବଂଚି ରହିଛି ରାଜକୀୟ ପରମ୍ପରା । ବରବେଶରେ ସଜାଇ ହୋଇଛନ୍ତି ବଲାଙ୍ଗିର ରାଜ ପରିବାରର ଦାୟାଦ ତଥା ଯୁବ ବିଜେଡି ନେତା ଅର୍କେଶ ନାରାୟଣ ସିଂହ ଦେଓ । ରାଜପୁତ୍ରଙ୍କୁ ଧରି ବାହାରିଛନ୍ତି ରାଜ୍ୟସଭା ସାଂସଦ ତଥା ପଟ୍ଟାୟତ ସାହେବ ଅନଙ୍ଗ ଉଦୟ ସିଂଦେଓ । ବଲାଙ୍ଗୀରରୁ ଦିଲ୍ଲୀ । ରାଜାଘର ବାହାଘରକୁ ନେଇ ସବୁ ଉତ୍ସାହ । ଆଉ ସଂପୂର୍ଣ୍ଣ ରାଜକୀୟ ପରମ୍ପରାରେ ଦିଲ୍ଲୀରେ ସଂପନ୍ନ ହୋଇଛି ବିବାହ ଉତ୍ସବ ।

ଅର୍କେଶଙ୍କ ଜୀବନ ସାଥୀ ସାଜିଛନ୍ତି- ଉତ୍ତରପ୍ରଦେଶର ମାଣ୍ଡାର ରାଜକୁମାରୀ ଅଦ୍ରିଜା ମାଣ୍ଡରା । ଅଦ୍ରିଜା ହେଉଛନ୍ତି-ରାଜଂବଶର ଦାୟାଦ ଅଜୟ ସିଂହଙ୍କ ଝିଅ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂହଙ୍କ ନାତୁଣୀ । ଦିଲ୍ଲୀରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ଭି.ପି ସିଂହଙ୍କ ବାସଭବନରେ ରାଜ ପରମ୍ପରା ଅନୁସାରେ ବିବାହ ସଂପନ୍ନ ହୋଇଛି ।

ମିଳିଥିବା ସୂଚନା ଅନୁସାରେ-ଆସନ୍ତା ୧ ତାରିଖ ଭୁବନେଶ୍ୱରରେ ନବଦମ୍ପତିଙ୍କ ଉଦ୍ଦେଶ୍ୟରେ ଏକ ବିବାହ ଉତ୍ସବର ଆୟୋଜନ କରାଯାଉଛି । ଏଥିପାଇଁ ବଛା ବଛା ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏମିତିକି ବଲାଙ୍ଗୀରେ ମଧ୍ୟ ୪୦ହଜାର ଲୋକଙ୍କ ପାଇଁ ଏବ ବିବାହା ଭୋଜିର ଆୟୋଜନର ସୂଚନା ରହିଛି । ସମୟ ବଦଳିଛି, ତା ସହ ବ୍ୟବସ୍ଥାରେ ପରିବର୍ତନ ଆସିଛି । କିନ୍ତୁ ଏସବୁ ଭିତରେ ବି ରାଜ ପରିବାର ମଧ୍ୟରେ ଏବେ ବି ବଂଚି ରହିଛି ରାଜକୀୟ ଠାଟ ଏବଂ ପରମ୍ପରା ।