ରାଜ୍ୟର ୩ଟି ସ୍ଥାନରେ ମିିଳିଲା ମହାବଳ ବାଘର ସନ୍ଧାନ। କ୍ୟାମେରାରେ କଏଦ ହେଲା ମହାବଳର ଚିତ୍ର

36

କନକ ବ୍ୟୁରୋ: ରାଜ୍ୟର ଆଉ ୩ଟି ସ୍ଥାନରେ ମହାବଳ ବାଘର ସନ୍ଧାନ ମିଳିଛି । ସୁନ୍ଦରଗଡର ହେମଗିରି ଜଙ୍ଗଲ, ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡାର ମୁନିଗୁଡାରେ ମହାବଳ ବାଘକୁ ଠାବ କରିଛି ବନ ବିଭାଗ । ଏସବୁ ସ୍ଥାନରେ ଲାଗିଥିବା କ୍ୟାମେରାରେ ମହାବଳ ବାଘର ଫଟୋ ମିଳିଛି । ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତମାନ ୬୦ଟି ବାଘ ଅଛି ।

ସୁନ୍ଦରଗଡର ହେମଗିରି ଜଙ୍ଗଲରେ ମିଳିଛି ମହାବଳ ବାଘର ସନ୍ଧାନ । ଖାଲି ହେମଗିରି ନୁହେଁ ହୀରାକୁଦ ନିକଟରେ ଥିବା ଦେବ୍ରିଗଡ ଅଭୟାରଣ୍ୟ ଓ ରାୟଗଡା ଜିଲା ମୁନିଗୁଡାରେ ମଧ୍ୟ ମହାବଳ ବାଘର ଚିତ୍ରକୁ କଏଦ କରିଛି ବନବିଭାଗ । ୨୦୧୫ ମସିହାରେ ରାଜ୍ୟରେ ୪୦ଟି ମହାବଳ ବାଘ ଥିବା ଗଣନା କରାଯାଇଥିଲା । ମୁଖ୍ୟତଃ ଶିମିଳିପାଳ, ସାତକୋସିଆ ଓ ସୁନାବେଡା ଅଭୟାରଣ୍ୟରେ ଗଣନା କରି ସରକାର ଦେଇଥିଲେ ଏହି ତଥ୍ୟ । କିନ୍ତୁ ଏବେ ଏହି ୩ଜଙ୍ଗଲରେ ବାଘ ଦେଖାଯିବା ପରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ହେଇଥିବା ନେଇ ଆଶା କରୁଛି ବନବିଭାଗ ।

ରାଜ୍ୟରେ ସାତକୋଶିଆ ଓ ଶିମିଳିପାଳକୁ ବ୍ୟାଘ୍ର ଅଭୟାରଣ୍ୟର ମାନ୍ୟତା ମିଳିବା ପରେ ଏବେ ମହାବଳ ଦେଖାଯାଇଥିବା ଅନ୍ୟ ଜଙ୍ଗଲକୁ ମଧ୍ୟ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଚିନ୍ତା କରୁଛି ବନବିଭାଗ । ସୁନାବେଡା, ଦେବ୍ରିଗଡ ସମେତ ହେମଗିରିକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ଏବେ ବନବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିନ୍ତୁ ଏହାରି ଭିତରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଏହି ନୂଆ ମହାବଳ ଦେଖାଯିବା ପରେ ଜଙ୍ଗଲ ବିଭାଗ ଓ ବନ୍ୟପ୍ରେମୀଙ୍କ ମନରେ ବଂଶ ବୃଦ୍ଧି ନେଇ ସୃଷ୍ଟି ହୋଇଛି ନୂଆ ଆଶା ।