ଓଡ଼ିଶା ପାଇଲା ନୂଆ ଅତିଥି : ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ସାତକୋଶିଆ ଆସିଲା ମହାବଳ ବାଘ

58

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଓଡିଶା ଆସିଲା ମହାବଳ ବାଘ । ଓଡିଶାର ସାତକୋଶିଆ ଜଙ୍ଗଲରେ ବାଘ ସଂଖ୍ୟା ବଢାଇବା ପାଇଁ ଏଭଳି ଏକ ବଡ ଧରଣର ପଦକ୍ଷେପ ନିଆଯାଇଛି । ବାଘକୁ ନିଶ୍ଚେତକ ଦିଆଯାଇ ୪୮ ଘଂଟାର ଯାତ୍ରା ପରେ ସାତକୋଶିଆରେ ପହଂଚିଛି ମହାବଳ ବାଘ । କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ମହାବଳକୁ ଅଣାଯାଇଥିବା ବେଳେ ଦ୍ୱୀତୀୟ ପର୍ଯ୍ୟାୟରେ ଆଉ ୫ଟି ମହାବଳ ବାଘ ଅଣାଯିବ ।

ଅଚେତ ଅବସ୍ଥାରେ ଶୋଇ ରଖିଥିବା ମହାବଳ ବାଘ, ହୁଏତ ଜାଣି ନଥିବ ଯେ, ବଦଳି ଯାଇଛି ତା’ର ଠିକଣା । ମଧ୍ୟପ୍ରଦେଶର ମହାବୀର ଏବେ ଓଡ଼ିଶାର ଅତିଥି । ଅତିଥି ହୋଇ ଆସିଥିବା ମହାବୀର ଓଡ଼ିଶାର ସାତକୋଶିଆ ଜଙ୍ଗଲରେ ବାଘଙ୍କ ବଂଶବୃଦ୍ଧି କରିବା ସହ ପରିବେଶ ସନ୍ତୁଳନର ପୁରୋଧା ସାଜିବ ।ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ସଂରକ୍ଷଣରୁ ଓଡ଼ିଶାର ସାତକୋଶିଆ ସଂରକ୍ଷିତ ଜଙ୍ଗଲ । ପ୍ରାୟ ୫ଶହ କିଲୋମିଟର ରାସ୍ତା ଏବଂ ୮୪ ଘଂଟାରୁ ଅଧିକ ସମୟର ଯାତ୍ରା । ଟ୍ରାଙ୍ଗୁଲାଇଜ କରିବା ପରେ ସଡକ ପଥ ଦେଇ ଓଡ଼ିଶାରେ ପହଂଚିଛି ମହାବଳ ବାଘ ।

ସାତକୋସିଆର ଘଂଚ ଜଙ୍ଗଲ ଭିତରେ ଘୁରି ବୁଲିବ ଏହି ମହାବଳ ବାଘ । ଜଙ୍ଗଲରେ କ୍ରମାଗତ ବଢୁଥିବା ତୃଣାଭୋଜି ପ୍ରାଣୀଙ୍କ ସଂଖ୍ୟା ହ୍ରାସ କରିବା ସହ ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବ । ଆଉ ବାଘଙ୍କ ପାଇଁ ସାତକୋଶିଆ ଜଙ୍ଗଲରେ ପ୍ରସ୍ତୁତ ହେବ ଏକ ନିଦ୍ଦିଷ୍ଟ କ୍ଷେତ୍ର । ତିନୋଟି ପର୍ଯ୍ୟାୟରେ ୬ଟି ମହାବଳ ବାଘ ସାତକୋସିଆ ଜଙ୍ଗଲକୁ ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘ ଆସି ସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆହୁରୀ ୫ଟି ବାଘ ଅଣାଯିବାର ଯୋଜନା ରହିଛି ।