ଆସୁଛି ମହାବଳ ! ଆଜି ସାତିକୋଶିଆରେ ପଂହଚିବ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟର ବାଘ

38

କନକ ବ୍ୟୁରୋ: ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଓଡିଶା ଅଭିମୁଖେ ଆସୁଛି ୩ବର୍ଷର ମହାବଳ ବାଘ । ଟ୍ରାଙ୍କୁଲାଇଜର ପରେ ସ୍ୱତନ୍ତ୍ର ଗାଡି ଯୋଗେ ବାଘକୁ ଆଣୁଛନ୍ତି ବନବିଭାଗ କର୍ମଚାରୀ । ଅନୁଗୁଳର ସାତକୋଶିଆ ଅଭୟାରଣ୍ୟରେ ବାଘକୁ ଛଡାଯିବ । ପରିବେଶ ସନ୍ତୁଳନ ପାଇଁ ବନବିଭାଗ ଏହି ପଦକ୍ଷେପ ନେଇଛି । ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଏହି ମହାବଳ ବାଘକୁ ଅଣାଯାଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବାଘ ଉପରେ ମଝିରେ ମଝିରେ ପାଣି ସିଂଚନ କରାଯାଉଛି । ଏହା ସହ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଉଲ୍ଲେଖ ଥାଉ କି, ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ୩ହଳ ଅର୍ଥାତ ୬ଟି ମହାବଳ ବାଘ ଆଣିବାକୁ ଦୀର୍ଘ ଦିନ ହେବ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ବାଘଙ୍କୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛଡାଯିବାର ବନ୍ଦୋବସ୍ତ କରାଯାଇଥିଲା । ଲକ୍ଷ୍ୟ ଥିଲା ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ସହ, ଜଙ୍ଗଲ ଭିତରେ ଅବାଧ ପ୍ରବେଶ ଓ ଶୀକାର ଉପରେ ରୋକ୍ ଲଗାଇବା । ଏହାସହ ଜୈବ ବିବିଧତାକୁ ମଧ୍ୟ ସଂରକ୍ଷଣ କରାଯାଇପାରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ମଧ୍ୟପ୍ରଦେଶ ସରକାର ୬ଟି ମହାବଳ ବାଘ ଦେବାକୁ ସହମତି ପ୍ରକାଶ କରିଥିଲେ ସୁଦ୍ଧା ଆଜି ଗୋଟିଏ ମହାବଳ ଅଣାଯାଉଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶରେ ଥିବା କାହ୍ନାରୁ ଏହି ବାଘ ଓଡିଶାକୁ ଅଣାଯାଇଥାନ୍ତା । ଏ ନେଇ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ମଧ୍ୟ ଅନୁମତି ମିଳିସାରିଥିଲା ।

ଜୁନ ପ୍ରଥମ ସପ୍ତାହରେ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ମହାବଳ ବାଘକୁ ସାତକୋଶିଆକୁ ସ୍ଥାନାନ୍ତରଣ କରିବାକୁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ହୋଇସାରିଥିଲା । କିନ୍ତୁ ମଧ୍ୟପ୍ରଦେଶ ବନବିଭାଗ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଏହା ସମ୍ଭବ ହୋଇପାରି ନଥିଲା । ବିଳମ୍ବ ସତ୍ୱେ ଆଜି ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଏହି ମହାବଳ ବାଘକୁ ଅଣାଯାଇଛି ।