ଓଡ଼ିଶା ପୁଲିସର ବ୍ରିଟିଶରାଜ୍ ! ଏଏସଆଇଙ୍କୁ ଉଠ୍ ବସ୍ କରାଇଲେ ଏସପି

15

କନକ ବ୍ୟୁରୋ : ଓଡିଶା ପୁଲିସରେ ବ୍ରିଟିଶ ରାଜ । କନିଷ୍ଠ ଅଧିକାରୀଙ୍କ ଉପରେ ବଡ ବାବୁଙ୍କ ହାକିମଗିରି । ସାମାନ୍ୟ ଭୁଲ୍ ପାଇଁ ସମସ୍ତଙ୍କ ସାମ୍ନାରେ ଏଏସଆଇଙ୍କୁ ବସ୍ ଉଠ ଭଳି ଶାସ୍ତି ଦେଲେ ଏସପି ସାହେବ । ଆରକ୍ଷୀ ଅଧିକ୍ଷକଙ୍କ ଏଭଳି ଆଚରଣ ବିରୋଧରେ ଅଭିଯୋଗ କରିବାକୁ ଅଂଟା ଭିଡିଲେ କନିଷ୍ଠ ଅଧିକାରୀ ହେଲେ ପରେ ବଦଳିଗଲା ସ୍ୱର । ଦେବଗଡ ପୁଲିସର ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ନଜର ପକାନ୍ତୁ ସଂପୂର୍ଣ୍ଣ ଘଟଣା ଉପରେ  ।

୨୯ ଅଗଷ୍ଟ ୨୦୧୭, ସ୍ଥାନ- ଦେବଗଡ ଡିପିଓ ଅଫିସ :
ଜିଲ୍ଲାରେ ଅପରାଧୀ କାର୍ଯ୍ୟକଳାପ ସମୀକ୍ଷା ବୈଠକ ଡକାଇଥିଲେ ଆରକ୍ଷୀ ଅଧିକ୍ଷକ ବି. ଗଂଗାଧର । ତେବେ ବୈଠକରେ ନାଇଟ୍ ଡ୍ୟୁଟି ସାରି ଫେରିଥିବା ତିଳେଇବଣି ବିଟ୍ ହାଉସ୍ ଏଏସ୍ଆଇ ଅଜୟ କୁମାର ସାହୁ ଟିକେ ଘୁମେଇ ପଡିଥିଲେ । ଏତିକିରେ ଏସ୍ପି ସାହେବଙ୍କ ରାଗ ପଂଚମ ହୋଇଯାଇଥିଲା, ଆଉ ବାବୁ ନିର୍ଦ୍ଦେଶ ଦେଇଥିଲେ ସମସ୍ତଙ୍କ ସାମ୍ନାରେ ବସ ଉଠ ହେବାକୁ । ସଙ୍ଗେ ସଙ୍ଗେ ଏସ୍ପିଙ୍କ ଆଜ୍ଞା ପାଳନ କରିଥିଲେ ଏଏସ୍ଆଇ ।

୩୦ ଅଗଷ୍ଟ, ୨୦୧୭ ଅର୍ଥାତ୍ ଆଜି :
ଗତକାଲିର ଘଟଣା ପାଇଁ ସକାଳୁ ସକାଳୁ ଡିଆଇଜିଙ୍କୁ ଅଭିଯୋଗ କରିବାକୁ ପହଁଚିଥିଲେ ଏଏସ୍ଆଇ ଅଜୟ ସାହୁ । ପାଖରେ ଥିଲା ହାତଲେଖା ଅଭିଯୋଗ ପତ୍ର । ଯେଉଁଥିରେ ସ୍ପଷ୍ଟ ଭାବ ଲେଖା ଥିଲା ମଙ୍ଗଳବାରର ଟିକନିକି ଘଟଣା । ହେଲେ ଏହାର କିଛି ସମୟ ପରେ ବଦଳିଗଲା ଏଏସଆଇଙ୍କ ସ୍ୱର ।

ଘଟଣା ବାହାରକୁ ନଆସିଲେ ବି ଏଏସଆଇଙ୍କ ଭୟଭୀତ ମୁହଁରୁ ସବୁ ସ୍ପଷ୍ଟ ବାରି ହୋଇପଡୁଥିଲା । ହେଲେ ଏଭଳି ଘଟଣାକୁ ସଫା ସଫା ମନା କରିଦେଇଛନ୍ତି ଏସ୍ପି । ତେବେ ଏନେଇ ଡିଆଇଜିଙ୍କ ପ୍ରତିକ୍ରିୟା ବି ମିଳିପାରିନି ।