ଅଶାନ୍ତ ଷ୍ଟିଲ ସିଟି : ସୋସିଆଲ ମିଡିଆରେ ଏକ ବିବାଦୀୟ ଫଟୋକୁ ନେଇ ରାଉରକେଲାରେ ଉତେଜନା

25

ରାଉରକେଲା ବ୍ୟୁରୋ , କନକ ନ୍ୟୁଜ୍ : ଅଶାନ୍ତ ଷ୍ଟିଲ ସିଟି । ସୋସିଆଲ ମିଡିଆରେ ଏକ ବିବାଦୀୟ ଫଟୋକୁ ନେଇ ରାଉରକେଲାରେ ଉତେଜନା ଲାଗିରହିଛି । ଚନ୍ଦ୍ରାଲୋକ ହୋଟେଲ ଲେନରେ ଏହି ପ୍ରସଙ୍ଗକୁ ନେଇ ଉତେଜନା ଦେଖାଦେବା ପରେ ୧୪୪ ଧାରା ଜାରି କରାଯାଇଛି । ସହରରେ ସାଂପ୍ରଦାୟିକ ଉତେଜନା ଦେଖାଦେବା ଆଶଙ୍କାରେ ଆଜି ପ୍ରଶାସନ ପକ୍ଷରୁ, ଏସପିଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ ଡକାଯାଇଛି । ତେବେ ଶାନ୍ତି କମିଟି ବୈଠକରୁ ଦୂରେଇ ରହିଛନ୍ତି ବିଜେପି, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଆଦିତ୍ୟ ବାହିନୀ । ଏମାନଙ୍କ ପରବର୍ତି କାର୍ଯ୍ୟପନ୍ଥା କଣ ହେବ ସେନେଇ ଏହି ସଂଗଠନଗୁଡିକ ଅନ୍ୟ ଏକ ବୈଠକ କରିଛନ୍ତି । ସୋସିଆଲ ମିଡିଆରେ ଆପତିଜନକ ଫଟୋ ଅପଲୋଡକୁ ନେଇ ଗତକାଲି ଉତେଜନା ଦେଖାଦେଇଥିଲା । ଫଟୋ ଅପଲୋଡ କରିଥିବା ଯୁବକଙ୍କ ଗିରଫ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା । ଖବର ପାଇ ପ୍ଲାଂଟ ସାଇଟ ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତେବେ ଅଟକ ଯୁବକଙ୍କୁ ଛାଡିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା ବଜରଙ୍ଗ ଦଳ । ଏହି ଘଟଣାକୁ ନେଇ ଏବେ ବି ଚାପା ଉତେଜନା ଲାଗିରହିଛି । ତେବେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ପୋଲିସ କହିଛି ।