ରାଉରକେଲାରୁ ରାଜ୍ୟ ବାହାରକୁ ବାଲି ଚୋରାଚାଲଣ ହେଉଥିବା ସନ୍ଦେହ !

30

କନକ ବ୍ୟୁରୋ : କଟକ ପରେ ଏବେ ରାଉରକେଲାରେ ମଧ୍ୟ ରାଜ୍ୟ ବାହାରକୁ ବାଲି ଚୋରାଚାଲଣ ହେଉଥିବା ସନ୍ଦେହ ଦୃଢୀଭୂତ ହୋଇଛି । ଗତ କିଛି ଦିନ ହେଲା ସେକ୍ଟର-୧୭ ବାଲିଘାଟରୁ ବଡ ବଡ ଟ୍ରକରେ ରାତିଅଧିଆ ବାଲି ଲୋଡିଂ କରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲା । ଗତକାଲି ୧୦ରୁ ଅଧିକ ଟ୍ରକରେ ବାଲି ଲୋଡିଂ କରି ପଠାଯାଉଥିବାବେଳେ କିଛି ସ୍ଥାନୀୟ ଲୋକ ୩ଟି ଟ୍ରକକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଅନ୍ୟ ୭ଟି ଟ୍ରକ ସହର ବାହାରକୁ ଚାଲିଯିବାରେ ସକ୍ଷମ ହୋଇଛି ।

ଏ ନେଇ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଯାଇଛି । ଆଜି ତହସିଲଦାର ମାମଲାର ଛାନଭିନ କରିବେ । ବାଲି ବୋଝେଇ ଟ୍ରକ ରାଉରକେଲାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଦୀର୍ଘଦିନହେଲା ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଛନ୍ତି । ତେଣୁ ରାଉରକେଲାରୁ ମଧ୍ୟ ବେଆଇନ ବାଲି ଚାଲାଣର ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଶୁକ୍ରବାର ରାତିରେ ମଧ୍ୟ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଟନ ଟନ ବାଲି ଉତରପ୍ରଦେଶକୁ ଚାଲାଣ ହେଉଥିବାବେଳେ ପୋଲିସ ଓ ପ୍ରଶାସନ ଧରିଥିଲା ।