ଧରାପଡିଲେ ମୁନ୍ନାଭାଇ ଏମବିବିଏସ ଡୁପ୍ଲିକେଟ । ସିଆଇଏସଏଫ ଲିଖିତ ପରୀକ୍ଷାରେ ଅନ୍ୟ ନାଁରେ ପରୀକ୍ଷା ଦେଉଥିବା ୫ ଯୁବକଙ୍କୁ ଗିରଫ କଲା ରାଉରକେଲା ପୋଲିସ

32

କନକ ବ୍ୟୁରୋ : ବଲିଉଡ ଫିଲ୍ମ ‘ମୁନ୍ନାଭାଇ ଏମବିବିଏସ’ ଆପଣ ନିଶ୍ଚୟ ଦେଖିଥିବେ । ଫିଲ୍ମରେ ଯେପରି ଡାକ୍ତରୀ ପରୀକ୍ଷା ପାଇଁ ମୁନ୍ନାଭାଇଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ ଠିକ୍ ସେହିଭଳି ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି । ଫିଲ୍ମରେ ତ ଜଣେ ମୁନ୍ନାଭାଇ ସାମ୍ନାକୁ ଆସିଥିଲେ କିନ୍ତୁ ରାଉରକେଲାରେ ୫ ଜଣ ନକଲି ମୁନ୍ନାଭାଇ ପରୀକ୍ଷା ଦେବା ପୂର୍ବରୁ ପୋଲିସ ହାତରେ ଧରାପଡିଛନ୍ତି । ଆଉ ଦୁଇଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।

ଘଟଣା ଅନୁଯାୟୀ. ସିଆଇଏସଏଫ କନେଷ୍ଟବଳ ଚୟନ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଦେବାକୁ ବିହାରରୁ ଆସିଥିବା ୫ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଗିରଫ ଯୁବକମାନେ ବିହାରର ନାୱଡା. ବୈଶାଳୀ ଓ ନାଳନ୍ଦା ଜିଲ୍ଲାର ବାସିନ୍ଦା ବୋଲି ତଦନ୍ତରୁ ଜଣା ପଡିଛି । ତେବେ ପୋଲିସକୁ ଚକମା ଦେଇ ଅନ୍ୟ ଦୁଇଜଣ ନକଲି ପରୀକ୍ଷାର୍ଥୀ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି ।

ରବିବାର ଅନୁଷ୍ଠିତ ସିଆଇଏସଏଫର ଫାୟାରାମ୍ୟାନ ପଦବୀ ପାଇଁ ରାଉରକେଲାର ୩ଟି କେନ୍ଦ୍ର ଗୁରୁ ନାନକ ପବ୍ଲିକ ସ୍କୁଲ, ଡିଏଭି ପ୍ଲବିକ ସ୍କୁଲ ଓ ପଦ୍ମନାଭ ଇଞ୍ଜିନିୟରିଂ କଲେଜରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ପ୍ରକୃତ ପରୀକ୍ଷାର୍ଥୀଙ୍କ ବଦଳରେ ପରୀକ୍ଷା ଦେବାକୁ ବାହାରିଥିଲେ ନକଲି ପରୀକ୍ଷାର୍ଥୀ । ଏଥିପାଇଁ କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ । ତେବେ ବାୟୋମେଟ୍ରିକ ବ୍ୟବସ୍ଥାରେ ,ଏମାନଙ୍କ ଟିପ ମେଳ ଖାଇନଥିଲା । ଫଳରେ ସଦେହ ବଢିବାରୁ ପୋଲିସକୁ ସୂଚନା ଦେଇଥିଲେ କର୍ତ୍ତୃପକ୍ଷ । ପୋଲିସ ପହଞ୍ଚି ଘଟଣାର ଯାଞ୍ଚ କରିବା ପରେ ଏମାନେ ନକଲି ପରୀକ୍ଷାର୍ଥୀ ବୋଲି ଜଣାପଡିଥିଲେ । ଭିନ୍ନ ଭିନ୍ନ ସ୍କୁଲରୁ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ହେବରେ ସକ୍ଷମ ହୋଇଥିଲେ । ତେବେ ଗିରଫ ହୋଇଥିବା ୫ ନକଲି ପରୀକ୍ଷାର୍ଥୀଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ ।