କନ୍ୟାଦାନ ବେଳେ ଘରେ ବୁଲିଲା କଳାକନା! ସୁନା ଅଳଙ୍କାର ଝିଅ ପିନ୍ଧିବା ପୂର୍ବରୁ ଲୁଟ୍ କରି ନେଇଗଲେ ଦୁର୍ବୃତ

420

କନକ ବ୍ୟୁରୋ : ରାଉରକେଲାରେ ଗତକାଲି ରାତିରେ ବଡ ଧରଣର ଲୁଟ୍ ହୋଇଛି । ଲୁଟେରା ମାନେ ଘରୁ ୨୫ରୁ ୩୦ ଭରି ସୁନା, ୪ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛନ୍ତି । ତେବେ ବଡ କଥା ହେଉଛି, ଝିଅ ବାହାଘର ପାଇଁ ପୁରା ପରିବାର ଘର ବାହାରେ ଥିବା ବେଳେ ଘରେ କଳାକନା ବୁଲାଇଦେଇଛନ୍ତି ଲୁଟେରା ।

ବିବାହ ବେଦୀରେ ଝିଅ ସାଜିଥିଲା ବୋହୁ । ମଥାରେ ସିନ୍ଦୁର, ବେକରେ ମଙ୍ଗଳସୁତ୍ର ପିନ୍ଧାଇ ସାତ ଜନ୍ମର ସାଥୀ ବନୁଥିଲେ ବର-କନିଆ । ବନ୍ଧୁ, ସମ୍ପର୍କୀୟ, ଅତିଥିଙ୍କ ମଧ୍ୟରେ ଉତ୍ସାହ ଥିଲା ବାହାଘରକୁ ନେଇ । ଆଉ ଏପଟେ ଘରେ କଳାକନା ବୁଲାଇଦେଇଥିଲେ ଲୁଟେରା । ରାତି ଅଧରେ ଝିଅ ପାଇଁ ଥିବା ସୁନା ଅଳଙ୍କାର, ଟଙ୍କା ଓ ମୂଲ୍ୟବାନ ଗିଫ୍ଟ ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ ।

୬ ଫେବ୍ରୁଆରି, ବୁଧବାର  । ରାଉରକେଲାର କୋଏଲ ନଗର । ଝିଅ ବାହାଘର ପାଇଁ ପୁରା ପରିବାର ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଘରେ ତାଲା ପକାଇ ରାଉରକେଲା କ୍ଳବ୍ ଯାଇଥିଲେ । ମଝିରେ ମଝିରେ ଜିନିଷ ନେବାକୁ ଘରକୁ ଆସୁଥିଲେ । ଶେଷଥର ପାଇଁ ରାତି ପ୍ରାୟ ସାଢେ ୧୨ଟାରେ ଘରକୁ ଆସି ଝିଅକୁ ମିଳିଥିବା ଗିଫ୍ଟ ଓ ଟଙ୍କା ରଖି ଚାଲିଯାଇଥିଲେ । ବାହାଘର ସରିବା ପରେ ଭୋର୍ ପ୍ରାୟ ସାଢେ ୩ଟାରେ ଫେରିବା ବେଳକୁ ଘରେ କଳାକନା ବୁଲାଇଦେଇଥିଲେ ଲୁଟେରା ।

ମାତ୍ର ଅଢେଇ ଘଣ୍ଟା ମଧ୍ୟରେ ଲୁଟେରା ମାନେ ଘରର ୩ଟି ତାଲା ଭାଙ୍ଗି ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଇଛନ୍ତି । ଯେଉଁଥିରେ ରହିଥିଲା ୨୫ରୁ ୩୦ ଭରି ସୁନା, ୩ ଲକ୍ଷ ଟଙ୍କା ଓ ବାହାଘର ବେଳେ ମିଳିଥିବା ଗିଫ୍ଟ ଏନଭଲପ୍ । ଗୋଟିଏ ପଟେ ଝିଅର ବାହାଘର ପାଇଁ ପୁରା ପରିବାର ଉତ୍ସାହିତ ଥିବା ବେଳେ ଘରେ ବଡ ଧରଣର ଲୁଟ୍ , ସମସ୍ତଙ୍କୁ ନିରାଶ କରିଦେଇଛି ।