ଚାକିରି କରିବ ଆସ ! ନିଯୁକ୍ତି ଲୋଭ ଦେଖାଇ ଷ୍ଟିଲ୍ ସିଟିରେ ସାଂଘାତିକ ଠକେଇ

23

କନକ ବ୍ୟୁରୋ : ସୋଆ ବିଶ୍ୱବିଦ୍ୟାଳୟରେ ନକଲି ନିଯୁକ୍ତି ପତ୍ର ଓ ନକଲି ସଂସ୍ଥା ନେଇ ହଟ୍ଟଗୋଳ, ଧାରଣା, ବିକ୍ଷୋଭର ନିଆଁ ଥମି ନଥିବା ବେଳେ ଆସିଛି ଆଉ ଏକ ଚାଂଚଲ୍ୟକର ତଥ୍ୟ । ରାଜ୍ୟ ବାହାରୁ ଆସି ଜଣେ ବ୍ୟକ୍ତି ରାଉରକେଲା ପରି ଏକ ସ୍ମାର୍ଟ ସିଟିରେ ନକଲି ସଂସ୍ଥା ଗଢିଥିବା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଓ ଅପହରଣ ଅଭିଯୋଗ ନେଇ ତଦନ୍ତ କରୁଥିବା ବେଳେ ଆସିଛି ଏପରି ଖବର ପଦାକୁ ଆସିଛି ।

ସରଳ ଲୋକଙ୍କୁ ବିଦେଶରେ ଚାକିରୀ କରାଇବା ନାଁରେ ଅଭିଯୁକ୍ତ ଖୋଲିଛନ୍ତି ମିଲିଅନାୟାର ଆସୋସିଏଟ୍ସ ନାଁରେ କାର୍ଯ୍ୟାଳୟ । ଛତିଶଗଡର ମଙ୍ଗେସ ବୈଦ୍ୟ ସାହୁ ନାମକ ଏହି ବ୍ୟକ୍ତି ନିଜକୁ ଭାରତ ସରକାରଙ୍କ ସେଂଟ୍ରାଲ ମିନିଷ୍ଟ୍ରି ସଦସ୍ୟ ଭାବେ ପରିଚୟ ନେଇ ଲୋକଙ୍କୁ ଭୁତାଉଥିବା ଅଭିଯୋଗ ହେଉଛି । ସ୍ଥାନୀୟ ହୋଟେଲ୍ ଆସ୍ଥାରେ ଗତ ୩ ମାସ ହେଲା ଡେରା ପକାଇଛି ଏହି ଠକ । ତେବେ ଏହି ସଂସ୍ଥା ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିବାକୁ ନାରାଜ କର୍ମଚାରୀ ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଢଙ୍ଗରେ ସାମ୍ନାକୁ ଆସିଛି ଏହି ଘଟଣା । ରିଲାଏନ୍ସ ଷ୍ଟୋରର ଜଣେ କର୍ମଚାରୀଙ୍କୁ ଆକ୍ରମଣ ଓ ଅପହରଣ ଅଭିଯୋଗ ମାମଲାର ତନାଘନା ବେଳେ ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି । ପ୍ଲାଂଟ ସାଇଟ୍ ପୋଲିସ ମଙ୍ଗେସ ବୈଦ୍ୟ ସାହୁ ଓ ତାଙ୍କ ଡ୍ରାଇଭରକୁ ଗିରଫ କରିଛି ।

ପୋଲିସ ମଙ୍ଗେସ ବୈଦ୍ୟ ସାହୁଙ୍କ ପ୍ଲେସମେଂଟ ଅଫିସକୁ ସିଲ୍ କରିଦେଇଛି । ଏନେଇ ଅଧିକ ଖୋଳତାଳ ଜାରି ରହିଛି । ଏହି ଘଟଣା ରାଜ୍ୟରେ ସାରା ନକଲି ନିଯୁକ୍ତି ସଂସ୍ଥା ଖୋଲିବାର ପ୍ରମାଣ ମିଳିଥିବା ବେଳେ ଏନେଇ ପ୍ରଶାସନ କେବେ ଚେତିବ, ତାହା ଉପରେ ବଡ ପ୍ରଶ୍ନ ।