ରାଉରକେଲାରେ ବରିଷ୍ଠ ନାଗରିକଙ୍କ ପାଇଁ ପୋଲିସ ଖୋଲିଲା ଅବସର ବିନୋଦନ କେନ୍ଦ୍ର

94

କନକ ବ୍ୟୁରୋ :  ରାଉରକେଲାରେ ଏଣିକି ନିଜକୁ ଅସୁରକ୍ଷିତ ତଥା ଏକୁଟିଆ ମନେ କରିବେନି ବରିଷ୍ଠ ନାଗରିକ । ଛେଣ୍ଡ ଥାନା ପରିସରରେ ଏଥିପାଇଁ ଜିଲା ପୋଲିସ ପକ୍ଷରୁ ପ୍ରଥମ ଥରପାଇଁ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହିଠାରେ ଅବସର ବିନୋଦନ ସହ ବାଳଅପରାଧିଙ୍କୁ ସୁଧାରିବାରେ ଏହି ବରିଷ୍ଠ ନାଗରିକ ମାନେ ପ୍ରମୁଖ ଭୁମିକା ଗ୍ରହଣ କରିବେ ।

ଥାକରେ ସଜେଇ ରଖାଯାଇଛି ଖବର କାଗଜ । ଆଉ ଚେସ୍ ବୋର୍ଡର ବି ବ୍ୟବସ୍ଥା ହୋଇଛି । ନିଜ ପିଲାମାନଙ୍କଠାରୁ ଦୂରେଇ ରହି ନିଜକୁ ଅସୁରକ୍ଷିତ ମଣୁଥିବା ବରିଷ୍ଠ ନାଗରିକମାନେ ଏହିଠାରେ ମନୋରଂଜନ କରିବା ସହ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇବେ ।

କେବଳ ମନୋରଂଜନ ନୁହଁ ବରଂ ଏହି କେନ୍ଦ୍ର ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ବି ପ୍ରଦାନ କରିବ । ଏଥିପାଇଁ ଏଠାରେ ୨୪ ଘଂଟିଆ ସେବା ଯୋଗାଇବାର ବ୍ୟବସ୍ଥା କରାଯାଇଥିବାବେଳେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟ ଥାନାମାନଙ୍କରେ ବି ଏଭଳି କେନ୍ଦ୍ର ସ୍ଥାପନ କରାଯିବାକୁ ନିଷ୍ପତ୍ତିି ନିଆଯାଇଥିବାର ଏସପି କହିଛନ୍ତି ।