ଜଣେ ଜିଦି ମା’: ଅପରିଚିତ ଶିଶୁକୁ ପରିଚୟ ଦେବାକୁ ଧାରଣାରେ ବସିଛନ୍ତି ତପସ୍ୱିନୀ

34

କନକ ବ୍ୟୁରୋ : କାଚଘରେ ଜୀବନ ଖୋଜୁଛି କଅଁଳା ପୁଅ । କାନ୍ଦିବାକୁ ଶକ୍ତି ପାଉନି । କାରଣ ଜନ୍ମ କଲା ମାଆ ପାଖରେ ନାହିଁ କୋଳେଇ ନେବାକୁ । ସଂସାରକୁ ତ ଆସି ଯାଇଛି,ହେଲେ ପରିଚୟ ପାଇବା ପୂର୍ବରୁ ସେ ପାଲଟି ଯାଇଛି ଅପରିଚିତ । ଗଲା ୧୦ ଦିନ ଧରି ରାଉରକେଲା ଏସଏନସିୟୁରେ ଚାଲିଛି ଏହି ଅପରିଚିତର ଅବୁଝା ଶ୍ୱାସପ୍ରଶ୍ୱାସର ଖେଳ । ଆଉ ବାହାରେ ଜଗି ରହିଛି ଜଣେ ମାଆ । ଏହେଉଛି ସେହି ମାଆ,ଯିଏ ଏ ଶିଶୁ ପାଇଁ ଗର୍ଭକଷ୍ଟ ସହିନି । ହେଲେ ତାକୁ ଜୀବନ ଦେଇଛି ଜଙ୍ଗଲରୁ ଗୋଟାଇ ଆଣି ।

ଗତ ୭ତାରିଖରେ ଲହୁଣିପଡା ଥାନାର ବିଛଣାପଟି ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା ଏହି ନବଜାତକ । ଆଉ ତାକୁ ଉଦ୍ଧାର କରିଥିଲେ ତପସ୍ୱିନୀ । ହେଲେ ସେତେବେଳକୁ ଗୁରୁତର ହୋଇ ପଡିଥିଲା ସେ । ତେଣୁ ତପସ୍ୱିନୀ ପ୍ରଥମେ ଲହୁଣୀପଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ । କଥା ପହଂଚିଗଲା ଜିଲ୍ଲା ଶିଶୁ ମଙ୍ଗଳ ସମିତି ପାଖରେ । ଜନ୍ମ କରି ନାହାଁନ୍ତି, ତେଣୁ ଶିଶୁକୁ କୋଳେଇ ନେବା ପାଇଁ ବାରଣ କଲା ଆଇନ୍ । ହେଲେ ତପସ୍ୱିନୀ କିନ୍ତୁ ନିଜ ଜିଦରେ ଅଡି ବସିଛନ୍ତି ।

ଏମିତିରେ ତପସ୍ୱିନୀଙ୍କ କୋଳଭର୍ତ୍ତି ଅଛି । ହେଲେ ଏ ଅପରିଚିତ ସହ କିଛି ମୁହୁର୍ତ୍ତର ସଂପର୍କ ତାଙ୍କୁ ଭାବବିହ୍ୱଳ କରି ଦେଇଛି । ତେଣୁ କେବଳ ପରିଚୟ ନୁହେଁ ଜୀବନ ଦେବାକୁ ଜିଦି କରୁଛନ୍ତି ତପସ୍ୱିନୀ ।