ହୀରା ବ୍ୟବସାୟୀଙ୍କ ପରେ ପେନ୍ ବ୍ୟବସାୟୀ ! ପପୁଲାର ପେନ ବ୍ରାଣ୍ଡ ରୋଟୋମାକ କମ୍ପାନି ମାଲିକଙ୍କ ଫ୍ରଡ, ୭ଟି ବ୍ୟାଙ୍କକୁ ୩,୬୦୦ କୋଟି ଟଙ୍କା ଲଗାଇଛନ୍ତି ଚୂନା

30

କନକ ବ୍ୟୁରୋ : ହୀରା ବ୍ୟବସାୟୀଙ୍କ ପରେ ପେନ୍ ବ୍ୟବସାୟୀ ଲୁଟିଲେ ବ୍ୟାଙ୍କ । ଲୋକପ୍ରିୟ ପେନ ବ୍ରାଣ୍ଡ ରୋଟୋମାକ କମ୍ପାନିର ମାଲିକଙ୍କ ନାଁରେ ୩ହଜାର ୬ଶହ ୯୫ କୋଟିର ହରିଲୁଟ ଅଭିଯୋଗ । ପ୍ରାୟ ୭ଟି ଘରୋଇ ବ୍ୟାଙ୍କରୁ ଋଣ ନେଇ ଶୁଝି ନାହାନ୍ତି ବିକ୍ରମ କୋଠାରୀ । ଏହି ମାମଲାରେ ତାଙ୍କ ସହ, ପତ୍ନୀ ଓ ପୁଅଙ୍କୁ ମଧ୍ୟ ପଚରା ଉଚରା କରିଛି ସିବିଆଇ ।

ପିଏନବି ପରେ ରୋଟୋମେକ୍ ଦୁର୍ନୀତି ।ରୋଟୋମେକ ପେନ କମ୍ପାନୀର ମାଲିକ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ସୁଝି ନଥିବା ଅଭିଯୋଗରେ ଅଟକ ହୋଇଛନ୍ତି । ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ୮୦୦ କୋଟି ଟଙ୍କାର ଠକେଇ ନେଇ ମାମଲା ପରେ ସିବିଆଇ କାନପୁରରେ ଚଢଉ କରିଛି । ରୋଟୋମେକ ମାଲିକ ବିକ୍ରମ କୋଠାରୀଙ୍କ ନିଜ ଘର ‘ସନ୍ତୁଷ୍ଟି’, କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ଚଢଉ କରିଛି ସିବିଆଇ । ଏହା ସହ ତାଙ୍କର ପତ୍ନୀ ଓ ପୁଅକୁ ମଧ୍ୟ ପଚରାଉଚୁରା ହୋଇଥିବା ସୂଚନା ମିଳିଛି ।

ବିକ୍ରମଙ୍କ ବିରୋଧରେ ବ୍ୟାଙ୍କରୁ ୩୦୦୦ କୋଟି ଟଙ୍କାର ଋଣ ନେଇ ଫେରସ୍ତ ଦେଇନ ଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ନିରବ ମୋଦିଙ୍କ ପରି ବିକ୍ରମ କୋଠାରୀଙ୍କ ମଧ୍ୟ ଦେଶରୁ ଫେରାର ହୋଇ ଯାଇଥିବେ ବୋଲି ଚର୍ଚ୍ଚା ଜୋରଦାର ହୋଇଥିଲା । ତେବେ ଏନେଇ ପ୍ରତିକ୍ରିୟା ରଖି ବିକ୍ରମ କହିଥିଲେ ସେ ଦେଶ ଛାଡିବାର ସମ୍ଭାବନା ନାହିଁ । ଏପରି ମହାନ ଦେଶ ବିଶ୍ୱରେ ନାହି ବୋଲି ବିକ୍ରମ କହିଛନ୍ତି । ତେବେ ପରିସ୍ଥିତି ଯୋଗୁଁ ଋଣ ସୁଝିପାରି ନଥିବା ସେ ସ୍ୱୀକାର କରିଛନ୍ତି ।

ଦେଶର ୫ଟି ବ୍ୟାଙ୍କରୁ ବିକ୍ରମ କୋଠାରୀ ପ୍ରାୟ ୩ ହଜାର କୋଟି ଟଙ୍କା ଋଣ ନେଇଛନ୍ତି । କିନ୍ତୁ ଏହାକୁ ଦୀର୍ଘ ଦିନ ଧର ସୁଝି ନଥିବା ବେଳେ ରବିବାର ତାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ବିକ୍ରମ ୨୦୧୨ରେ ନିଜ କମ୍ପାନୀ ରୋଟୋମେକ ନାଁରେ ଆହ୍ଲାବାଦ ବ୍ୟାଙ୍କରୁ ୩୭୫ କୋଟି ଟଙ୍କାର ଋଣ ନେଇଥିଲେ । ପରେ ୟୁନିଅନ ବ୍ୟାଙ୍କରୁ ୪୩୨ କୋଟି , ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୪୦୦ କୋଟି, ବ୍ୟାଙ୍କ ଅଫ ଇଣ୍ଡିଆରୁ ୧୩୦୦ କୋଟି ଟଙ୍କାର ଋଣ ନେଇଥିଲେ ବିକ୍ରମ । ଏପରିକି ବ୍ୟାଙ୍କ ଅଫ ବରୋଦାରୁ ମଧ୍ୟ ସେ ୬୦୦ କୋଟି ଟଙ୍କା ନେଇଛନ୍ତି । କିନ୍ତୁ କୌଣସି ବ୍ୟାଙ୍କର ଋଣ ସେ ପରିଶୋଧ କରି ନାହାନ୍ତି । ତେବେ ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ବ୍ୟାଙ୍କ କର୍ମଚାରୀଙ୍କୁ ହାତକରି ନିଜ ସମ୍ପତିର ମୂଲ୍ୟକୁ ଅହେତୁକ ଭାବେ ଅଧିକ ଦେଖାଇଛନ୍ତି ଏବଂ କୋଟି କୋଟି ଟଙ୍କା ଋଣ ହାସଲ କରିଛନ୍ତି । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଋଣ ପରିଶୋଧ କରି ନ ଥିବା ବେଳେ କିପରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିଲା । ଏନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।