ଆମେରିକାରେ ଆରମ୍ଭ ହେଲା ଟ୍ରମ୍ପ ଯୁଗ : ୪୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ

34

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବପୁରାତନ ଗଣତନ୍ତ୍ର ରାଷ୍ଟ୍ର ଆମେରିକାରେ ଆରମ୍ଭ ହେଲା ଟ୍ରମ୍ପ ଯୁଗ । ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଆମେରିକାର ୪୫ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଡୋନାଲ ଟ୍ରମ୍ପ । ରିପବ୍ଲିକାନ ସିନେଟର ରୟ ବ୍ଲୁଂଟ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବର ଅଧ୍ୟକ୍ଷତା କରିଥିଲେ । ସେହିପରି ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟ ଏହି ଶପଥ ଗ୍ରହଣ ଉତ୍ସବର ପ୍ରଶାସକ ତଥା ପରିଚାଳକ ଭୂମିକା ତୁଲାଇଥିଲେ ।

ୱାସିଂଟନ ଡିସିରେ ଆୟୋଜିତ ହୋଇଥିବା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଆମେରିକାର ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ବହୁ ପାରମ୍ପରିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ସମୁହ ବାଇବେଲ ପାଠପରେ ଦେଶର ୪୫ ତମ ରାଷ୍ଟ୍ରପତି ଭାବେ ଡୋନାଲ ଟ୍ରମ୍ପ ଶପଥ ନେଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଡୋନାଲ ଟ୍ରମ୍ପଙ୍କ ପତ୍ନୀ, ପରିବାର ଏବଂ ସଂପର୍କୀୟମାନେ ଉପସ୍ଥିତ ଥିଲେ ।

ସେହିପରି ବହୁ ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ଫାଷ୍ଟଲେଡି, ନବନିର୍ବାଚିତ ସିନେଟର, ରାଷ୍ଟ୍ରନେତା, ପୁଂଜିପତିଙ୍କ ସମେତ ବରିଷ୍ଠ ପଦପଦବୀରେ ଥିବା ବ୍ୟକ୍ତିମାନେ ସାମିଲ ହୋଇଥିଲେ । ଆମେରିକାର ଏହି ଐତିହାସିକ ମୁହୁର୍ତର ସାକ୍ଷୀ ହୋଇଥିଲେ ପ୍ରାୟ ୧୦ ଲକ୍ଷ ଲୋକ । ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ନୂଆ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ସେ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ସହ ପୂର୍ବ ରାଷ୍ଟ୍ରପତିମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ତାଙ୍କ ସରକାର ଲୋକଙ୍କ ସରକାର ଏବଂ ସରକାର ଉପରେ ଦେଶବାସୀଙ୍କ ନିୟନ୍ତ୍ରଣ ରହିବ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକା ଆହୁରି ଶକ୍ତିଶାଳି ହେବ ଏବଂ ଦେଶର ସ୍ୱପ୍ନକୁ ସେ ସାକାର କରିବାକୁ ଆପ୍ରାଣ ଚେଷ୍ଟା କରିବେ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ୱାସିଂଟନ ଡିସିରେ ଆୟୋଜିତ ହୋଇଥିବା ଆମେରିକାର ୪୫ ତମ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜର୍ଜ ଡବ୍ଲୁ ବୁଶ୍, ବିଲ୍ କ୍ଲିନ୍ଟନ୍, ଜିମି କାର୍ଟରଙ୍କ ସମେତ ଦେଶର ପୂର୍ବତନ ଫାଷ୍ଟ ଲେଡି ମିସେଲ ଓବାମା, ଲୌରା ବୁଶ୍, ହିଲାରୀ କ୍ଲିନ୍ଟନ୍, ରୋଜାଲିନ୍ କାର୍ଟର ପ୍ରମୁଖ ଉପସ୍ଥିତ ଥିଲେ ।