ସାର୍ବଜାନୀନ ହେଲା ରୋହିତ ବେମୁଲା ଆତ୍ମହତ୍ୟା ରିପୋର୍ଟ । ମନ୍ତ୍ରୀଙ୍କୁ ମିଳିଲା କ୍ଲିନଚିଟ, ଭୁଲ କାହାରି ନାହିଁ

110

କନକ ବ୍ୟୁରୋ: ଆସିଲା ମେଧାବୀ ଛାତ୍ର ରୋହିତ ବେମୁଲା ଆତ୍ମହତ୍ୟାର ତଦନ୍ତ ରିପୋର୍ଟ । ଜଷ୍ଟିସ ଅଶୋକ କୁମାର ରୂପନୱାଲଙ୍କ ଦ୍ୱାରା କରାଯାଇଥିବା ଏହି ତଦନ୍ତ ରିପୋର୍ଟକୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାର୍ବଜାନୀନ କରାଯାଇଛି । ଯେଉଁଥିରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସାମ୍ନାକୁ ଅଣାଯାଇଛି ।

ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ଥିଲେ ରୋହିତ ବେମୁଲା । ଆମ୍ବେଦକର ଷ୍ଟୁଡେଣ୍ଟ ଆସୋସିଏସନର ଜଣେ ସକ୍ରିୟ ଛାତ୍ର ପ୍ରତିନିଧୀ ଭାବେ ସମସ୍ତେ ଜାଣିଥିଲେ ରୋହିତଙ୍କୁ । ହଠାତ ସେ ଆତ୍ମହତ୍ୟା କରନ୍ତି ୨୦୧୬ ଜାନୁଆରୀ ୧୭ ତାରିଖରେ । ଆଉ ୟା ପରେ ଆରମ୍ଭ ହୁଏ ସାରା ଦେଶରେ ଝଡ । ଏମିତି ଝଡ ଯାହା ବଦଳାଇ ଦିଏ ଉଭୟ ଶିକ୍ଷା ଓ ରାଜନୈତିକ ଗତିପଥକୁ । ଜଣେ ଦଳିତ ଛାତ୍ରକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା ବୋଲି ନାରା ଦେଇ ଅନେକ ଆନ୍ଦୋଳନ ହେଲା । ଅଡୁଆରେ ପଡିବା ପୂର୍ବରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଗଲା ଓ ଜଷ୍ଟିସ ଅଶୋକ କୁମାର ରୂପନୱାଲ ଏହାର ତଦନ୍ତ ଦାଇତ୍ୱ ନେଲେ । ଯାହା ଏବେ ସାର୍ବଜାନୀନ କରାଯାଇଛି ।

ସାର୍ବଜାନୀନ ହୋଇଥିବା ରିପୋର୍ଟରେ ରୋହିତ ବେମୁଲାଙ୍କ ଆତ୍ମହତ୍ୟା ପଛରେ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ନେଇଥିବା ପଦକ୍ଷେପ କାରଣ ନୁହେଁ ବୋଲି ମଧ୍ୟ କୁହାଯାଇଛି । ବରଂ ସେ ନିଜର ପାରିପାଶ୍ୱର୍ିକ ପରିସ୍ଥିତିକୁ ସାମ୍ନା କରିନପାରି ଆତ୍ମହତ୍ୟା ଭଳି ଚରମ ରାସ୍ତାକୁ ବାଛି ନେଇଥିଲେ । ସେ ସର୍ବଦା ଦୁଃଖୀ ରହୁଥିଲେ ଓ ସୁଖୀ ରହି ପାରୁନଥିଲେ । ରୋହିତ ବେମୁଲା ଓ ତାଙ୍କ ସାଥୀଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ଦଣ୍ଡିତ କରାଯାଇଥିବା ବେଳେ ସେମାନେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେଣୁ ଏହି ଆତ୍ମହତ୍ୟା ପଛରେ ଏହା କାରଣ ନୁହେଁ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।

ରିପୋର୍ଟରେ ରୋହିତ ଦଳିତ ନଥିଲେ ବୋଲି ସ୍ପଷ୍ଟ କରାଯାଇଛି । ତେଣୁ ତାଙ୍କୁ ଦଳିତ ଭାବେ କୌଣସି ପ୍ରକାର ପ୍ରତାଡିତ କରାଯାଇନାହିଁ ବୋଲି କୁହାଯାଇଛି । ରୋହିତର ପିତା ବି. ମଣିକୁମାର ବଡେରା ସମ୍ପ୍ରଦାୟର ଥିଲେ । ତେଣୁ ରୋହିତ ଦଳିତ ନୁହଁନ୍ତି ବରଂ ଓବିସି ବା ପଛୁଆବର୍ଗର ଥିଲେ । ଅବଶ୍ୟ ତାଙ୍କ ମା ବାରମ୍ବାର କହିଥିଲେ ସେ ଅନୁସୂଚିତ ଜାତିର ଅଟନ୍ତି ଓ ଛାଡପତ୍ର ପରେ ରୋହିତଙ୍କୁ ନେଇ ସେ ଅଲଗା ରହୁଥିଲେ । କିନ୍ତୁ ତଦନ୍ତ ସମୟରେ ସେ କୌଣସି ଜାତିଗତ ପ୍ରମାଣପତ୍ର ଦେଖାଇପାରି ନଥିଲେ ।

ଜଷ୍ଟିସ ଅଶୋକ କୁମାର ରୂପାନୱାଲଙ୍କ ରିପୋର୍ଟରେ ମନ୍ତ୍ରୀଙ୍କୁ ମିଳିଛି କ୍ଲିନଚିଟ । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଈରାନୀ ଓ ବନ୍ଦାରୁ ଦତ୍ତାତ୍ରୟଙ୍କର କୌଣସି ସଂପର୍କ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୧୫ ଅଗଷ୍ଟରେ ସ୍ଥାନୀୟ ବିଧାୟକ ରାମଚନ୍ଦ୍ର ରାୟ ମନ୍ତ୍ରୀଙ୍କୁ ଭେଟିଥିଲେ ଓ ରୋହିତ ଓ ଅନ୍ୟମାନଙ୍କ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଯାଂଚ କରିବାକୁ ପତ୍ର ଲେଖି ସୁପାରିଶ କରିଥିଲେ । ଦତ୍ତାତ୍ରୟ ମଧ୍ୟ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଈରାନୀଙ୍କୁ ଚିଠି ପଠାଇ ଦେଇଥିଲେ ଯାହାକୁ ପରେ ସ୍ମୃତି ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ପଠାଇ ଦେଇଥିଲେ । ତେଣୁ ଏ ଘଟଣାରେ ଏମାନଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆମ୍ବେଦକର ଷ୍ଟୁଡେଣ୍ଟ ଆସୋସିଏସନ ବ୍ୟାନରରେ ରୋହିତ କିଛି ଛାତ୍ରଙ୍କୁ ଧରି ଆନ୍ଦୋଳନ କରୁଥିଲେ । ଯାହାପରେ ଉଗ୍ରରୂପ ନେଇଥିଲା । ରୋହିତଙ୍କୁ ମିଳୁଥିବା ମାସିକ ୨୫ହଜାର ମେଧାବୃତ୍ତିକୁ ବନ୍ଦ କରାଯାଇଥିଲା । ଏହାର କିଛିଦିନ ପରେ ଏଏସଏ ବ୍ୟାନରକୁ ବେକରେ ବାନ୍ଧିଥିବା ଅବସ୍ଥାରେ ତାଙ୍କର ଝୁଲନ୍ତା ଶବ ଉଦ୍ଧା କରାଯାଇଥିଲା । ତେଣୁ ତାଙ୍କ ଆତ୍ମହତ୍ୟା ପଛରେ ଏହା ଅନ୍ୟତମ କାରଣ ବୋଲି ମଧ୍ୟ ସେତେବେଳେ ଅଭିଯୋଗ ଉଠିଥିଲା । ତେବେ ଏହି ତଦନ୍ତ ରିପୋର୍ଟ ସାର୍ବଜାନୀନ କରାଯିବା ପରେ ପୁଣିଥରେ ରୋହିତ ବେମୁଲା ଆତ୍ମହତ୍ୟାର ଝଡ ଉଠିବା ସମ୍ଭାବନା ରହିଛି ।